ଦୁର୍ନୀତି ଅଭିଯୋଗ ପରେ କୋଭାକ୍ସିନ ଟିକା ଡିଲ୍ ରଦ୍ଦ କଲା ବ୍ରାଜିଲ, ଅନିୟମିତତା ଅଭିଯୋଗକୁ ଭାରତ ବାୟୋଟେକର ଖଣ୍ଡନ

ନୂଆଦିଲ୍ଲୀ: ବ୍ରାଜିଲ ସରକାର ଭାରତ ବାୟୋଟେକ୍ ସହିତ କୋଭାକ୍ସିନର ୨ କୋଟି ଡୋଜ କିଣିବା ପାଇଁ ଚୁକ୍ତି ରଦ୍ଦ କରିଛନ୍ତି | ଏହି ଚୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବ୍ରାଜିଲ ସରକାର ଏହି ଚୁକ୍ତିକୁ ସାମୟିକ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ସେପଟେ ଭାରତ ବାୟୋଟେକ କହିଛି ଯେ ବ୍ରାଜିଲରୁ ଏହି ଟିକା ପାଇଁ ଏପର୍ଯ୍ୟନ୍ତ ଅଗ୍ରୀମ ଦେୟ ଗ୍ରହଣ କରାଯାଇ ନାହିଁ। ହାଇଦ୍ରାବାଦ ଭିତ୍ତିକ ଔଷଧ ନିର୍ମାତା କହିଛି, କୋଭାକ୍ସିନ୍ ଯୋଗାଣ ପାଇଁ ବ୍ରାଜିଲରେ ଯେଉଁ ନିୟମ ରହିଛି ତାହା ସବୁ ପାଳନ କରାଯାଇଛି । କୋଭାକ୍ସିନ ଡିଲ୍ ରେ କୌଣସି ଅନିୟମିତତା ହୋଇଥିବା ଅଭିଯୋଗକୁ ଏହି ଭାରତୀୟ କମ୍ପାନୀ ଖଣ୍ଡନ କରିଛି ।

ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆସୋସିଏସନ୍ ଅଫିସ୍ ଅଫ୍ କଣ୍ଟ୍ରୋଲର୍ ଜେନେରାଲ୍ (ସିଜିୟୁ) ଙ୍କ ସୁପାରିଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜୁନ୍ ୨୯ରୁ ଭାରତ ବାୟୋଟେକ୍ ଠାରୁ କୋଭିଡ୍ ଟିକା କ୍ରୟ ପାଇଁ ଚୁକ୍ତିନାମାକୁ ସାମୟିକ ଭାବେ ସ୍ଥଗିତ ରଖିଛି। ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ବ୍ରାଜିଲରେ କୋଭିଡ-୧୯ ବିରୋଧରେ ଟୀକାକରଣ ଅଭିଯାନର ଗତି ଉପରେ ପ୍ରଭାବ ପକାଇବ ନାହିଁ । ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଟିକା ପାଇଁ ଭରତ ବାୟୋଟେକ ସହିତ ହୋଇଥିବା ଡିଲର ଯାଞ୍ଚ କରାଯିବ।

ଏ‌ହି ବିବାଦ ନେଇ ଭରତ ବାୟୋଟେକ ପ୍ରତିକ୍ରିୟା ରଖିଛି । କମ୍ପାନୀ କହିଛି ଯେ ଜୁନ୍ ୨୯, ୨୦୨୧ ସୁଦ୍ଧା ବ୍ରାଜିଲ ସରକାରଙ୍କ ଠାରୁ କୌଣସି ଅଗ୍ରୀମ ଦେୟ ଗ୍ରହଣ କରାଯାଇ ନାହିଁ କିମ୍ବା ବ୍ରାଜିଲକୁ କୌଣସି ଟିକା ଯୋଗାଣ କରାଯାଇ ନାହିଁ। ଚୁକ୍ତି, ନିୟାମକ ଅନୁମୋଦନ ଏବଂ ଯୋଗାଣ ସମ୍ବନ୍ଧରେ ଅନ୍ୟ ଦେଶରେ ଯେଉଁଭଳି ନିୟମ ପାଳନ ପୂର୍ବକ ଆମେ ଟିକା ଯୋଗାଇଛୁ, ବ୍ରାଜିଲରେ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରିଛୁ ବୋଲି ଭାରତ ବାୟୋଟେକ କହିଛି ।

Comments are closed.