ସେରମ୍‌କୁ ଝଟ୍‌କା, ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଟ୍ରାଏଲ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ଝଟ୍‌କା ଲାଗିଛି । ୨-୧୭ ବୟସର ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ସେରମ୍‌କୁ ଅନୁମତି ଦେବା ବିରୋଧରେ ସୁପାରିସ କରିଛି ସରକରୀ ପ୍ୟାନେଲ ।

କୋଭାଭାକ୍ସ ଟିକାର ପରୀକ୍ଷଣ ୨ ରୁ ୧୮ ବର୍ଷ ବୟସର ୯୨୦ ଜଣ ପିଲାଙ୍କ ଉପରେ କରିବା ପାଇଁ ସେରମ୍ ପକ୍ଷରୁ ସୋମବାର ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇଙ୍କ ନିକଟରେ ଆବେଦନ କରାଯାଇଥିଲା । ତେବେ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଏନେଇ ସେରମ୍‌କୁ ଅନୁମତି ଦେଇ ନାହିଁ । କୋଭାଭାକ୍ସ ଟିକାକୁ ଏ ଯାଏଁ କୌଣସି ଦେଶରେ ବ୍ୟବହାର ପାଇଁ ମଞ୍ଜୁରି ମିଳିନଥିବାରୁ ସରକାରୀ ପ୍ୟାନେଲ ଭାରତରେ ଏହି ଟିକାର ପିଲାଙ୍କ ଉପରେ ଟ୍ରାଏଲ କରିବାକୁ ମନା କରିଦେଇଛି ।

ଆମେରିକୀୟ କମ୍ପାନୀ ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ ‘କୋଭାଭାକ୍ସ’ ଟିକାକୁ ଭାରତରେ ଉତ୍ପାଦନ, ବିକ୍ରି ଓ ବିତରଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଗତବର୍ଷ ଅଗଷ୍ଟରେ ଆମେରିକାର ଏହି କମ୍ପାନୀ ସହ ଚୁକ୍ତି କରିଥିଲା । ସେରମ୍ ସମ୍ପ୍ରତି ଭାରତରେ ଅକ୍ସଫୋର୍ଡ ଟିକାର ଉତ୍ପାଦନ କରୁଛି । ଏହି ଟିକା ଭାରତରେ ‘କୋଭିଶିଲ୍ଡ’ ଭାବେ ନାମିତ ।

Comments are closed.