କରୋନା ଅପଡେଟ୍‌: କ୍ରମାଗତ ଚତୁର୍ଥ ଦିନ ୫୦ ହଜାର ତଳେ ଦୈନିକ ସଂକ୍ରମଣ, ଆଉ ୧୦୦୫ ମୃତ

ନୂଆଦିିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରୀ ଦୃଷ୍ଟିରୁ ବିପଦ ଟଳି ନାହିଁ । ଦେଶରେ କ୍ରମାଗତ ଚତୁର୍ଥ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୪୮,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୫ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ୪୬,୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ଥିଲା ୩୭,୫୬୬ । ବୁଧବାର ୪୫,୯୫୧ ମାମଲା ରେକର୍ଡ କରାଯାଇଥିଲା । ଭାରତରେ ଗତ ୨୪ ଘଣ୍ଟାରେ ଆଉ ୬୧,୫୮୮ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ କରୋନାର ମୋଟ ମାମଲା ତିନି କୋଟି ୪ ଲକ୍ଷ ୧୧ ହଜାର ୬୩୪ରେ ପହଞ୍ଚିଛି । ଏହି ମହାମାରୀ ଏ ପର୍ଯ୍ୟନ୍ତ ୩ ଲକ୍ଷ ୯୯ ହଜାର ୪୫୯ ଜଣଙ୍କର ମୁଣ୍ଡ ନେଇଥିବା ବେଳେ ଦୁଇ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ ଜଣ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି ।

କୋଭିଡ୍‌-୧୯ ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଗତକାଲି ସମଗ୍ର ଦେଶରେ ୨୭.୬୦ ଲକ୍ଷ ଟିକା ଡୋଜ୍ ଦିଆଯାଇଥିଲା । ଏଯାବତ ମୋଟ ୩୩ କୋଟି ୫୭ ଲକ୍ଷ କୋଭିଡ୍ ଭାକ୍ସିନ ଦିଆଯାଇଛି ।

 

Comments are closed.