ପ୍ଲାଜମା ଥେରାପିର ମାତ୍ରାଧିକ ବ୍ୟବହାର ନ କରିବାକୁ ଆଇସିଏମଆର ର ପରାମର୍ଶ

ନୂଆଦିଲ୍ଲୀ – ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ଏବେ ପ୍ଲାଜାମା ଥେରାପିର ବହୁଳ ବ୍ୟବହାର କରାଯାଉଛି । ତେବେ ପ୍ଲାଜମା ଥେରାପିର ମାତ୍ରାଧିକ ବ୍ୟବହାର ନେଇ ଭାରତୀୟ ମେଡିକାଲ ରିଚର୍ସ କାଉନସିଲ (ଆଇସିଏମଆର) ଚିନ୍ତା ପ୍ରକଟ କରିଛି । ଏହି ଚିକିତ୍ସା ପଦ୍ଧତିର ମାତ୍ରାଧିକ ବ୍ୟବହାରକୁ ଆଇସିଏମଆର ବିରୋଧ କରିଛି । କାରଣ ଏହି ଚିକିତ୍ସା ପଦ୍ଧତି କୋଭିଡ୍‌-୧୯ ମୃତ୍ୟୁହାର ହ୍ରାସ କରିବାରେ ସେତେ ସଫଳ ହେଉନାହିଁ ।

ପ୍ଲାଜମା ଥେରାପି ବ୍ୟବହାର ନେଇ ଆଇସିଏମଆର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସଓପି) ଜାରି କରିବା ସହ ଏହାର ମାତ୍ରାଧିକ ବ୍ୟବହାର ନ କରିବାକୁ ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । କରୋନାରୁ ସୁସ୍ଥ ରୋଗୀଙ୍କ ପ୍ଲାଜମା ଆଉ ଜଣେ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । ଏହି ପଦ୍ଧିତିକୁ ପ୍ଲାଜମା ଥେରାପି କୁହାଯାଏ । ତେବେ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ପ୍ଲାଜମା ଥେରାପି ସେଭଳି ଫଳପ୍ରଦ ହେଉନଥିବା ଜଣାପଡିଛି ।

ପ୍ଲାଜମା ଦାନ କରୁଥିବା ବ୍ୟକ୍ତିର ଶରୀରରେ କୋଭିଡ୍‌-୧୯ ବିରୋଧରେ ଲଢୁଥିବା ଆଣ୍ଟିବଡିଜ୍ ର ସାନ୍ଧ୍ରତା ଅଧିକ ରହିବା ଉଚିତ । ପ୍ଲାଜମା ଦାନ କରୁଥିବା ବ୍ୟକ୍ତିର ଶରୀରରେ ଆଣ୍ଟିବଡିଜର ପରିମାଣ ଉପରେ ହିଁ ପ୍ଲାଜମା ଥେରାପିର ସଫଳତା ଓ ବିଫଳତା ନିର୍ଭର କରେ ବୋଲି ଆଇସିଏମଆର କହିଛି । ତେଣୁ କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପିର ବ୍ୟାପକ ବ୍ୟବହାର ନ କରିବାକୁ ଆଇସିଏମଆର ପରାମର୍ଶ ଦେଇଛି ।

Comments are closed.