ଲୋକଙ୍କ ଉପରେ ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ତୈଳଦର ବୃଦ୍ଧିରୁ ଲୋକଙ୍କୁ ନିସ୍ତାର ମିଳୁ ନାହିଁ । ଦୁଇ ଦିନର ବ୍ୟବଧାନ ପରେ ଶୁକ୍ରବାର ପୁଣି ଦର ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ପଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଛି । କିନ୍ତୁ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଗତ ୬୦ ଦିନରେ ପ୍ରଥମ ଥର ପେଟ୍ରୋଲ-ଡିଜେଲ ମଧ୍ୟରୁ କେବଳ ଗୋଟିକର ଦର ବଢ଼ାଯାଇଛି ।

ଗତ ମାସକ ମଧ୍ୟରେ ୩୩ ଥର ପାଇଁ ପେଟ୍ରୋଲ ଦର ବଢ଼ିଛି । ମେ ୪ରୁ ପେଟ୍ରୋଲ ଏଯାବତ ୮.୭୬ ଟଙ୍କା ମହଙ୍ଗା ହୋଇସାରିଲାଣି । ସଦ୍ୟତମ ବୃଦ୍ଧି ସହ ରାଜଧାନୀ ନଗରୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଏବେ ୧୦୦ ନିକଟତର ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ଏବେ ୯୯.୧୬ ଟଙ୍କାରେ ପହଞ୍ଚିଥିବା ବେଳେ କୋଲକାତାରେ ଏହା ୯୯.୦୪ ଟଙ୍କା ରହିଛି ।

ତେବେ ଚେନ୍ନାଇରେ ପେଟ୍ରୋଲ ଦର ପ୍ରଥମ ଥର ପାଇଁ ୧୦୦ ଟପିଛି । ତାମିଲନାଡୁର ଏହି ରାଜଧାନୀ ନଗରୀରେ ଏବେ ପେଟ୍ରୋଲ ଲିଟର ପିଛା ୧୦୦.୦୩ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ବହୁ ପୂର୍ବରୁ ୧୦୦ ଟପିଥିଲା । ଏବେ ଦେଶର ଏହି ବାଣିଜ୍ୟକ ରାଜଧାନୀରେ ପେଟ୍ରୋଲ ଲିଟର ୧୦୫.୨୪ ଟଙ୍କାକୁ ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ମଧ୍ୟ ପେଟ୍ରୋଲ ୧୦୦ ଟପି ୧୦୨.୪୮ ଟଙ୍କାରେ ପହଞ୍ଚିଛି ।

ଦେଶରେ ସବୁଠୁ ମହଙ୍ଗା ପଟ୍ରୋଲ ରାଜସ୍ଥାନ ଗଙ୍ଗାନଗରରେ ବିକ୍ରି ହେଉଛି । ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୧୦.୪୦ ଟଙ୍କା ରହିଛି । ଡିଜେଲ ଏଠାରେ ଲିଟର ପିଛା ଦର ୧୦୨.୪୨ ଟଙ୍କାରେ ବିକ୍ରି ହେଉଛି ।

Comments are closed.