କୋ-ୱିନ୍ ଆପ୍‌ର ବଢ଼ୁଛି ଲୋକପ୍ରିୟତା, ୫୦ ଦେଶ ଦେଖାଇଲେ ଆଗ୍ରହ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ପ୍ଲାଟ୍‌ଫର୍ମ କୋ-ୱିନ୍ ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଛି । ଏହି ଆପ୍ ଦ୍ୱାରା ହିତାଧିକାରୀମାନେ ଟିକା ପାଇଁ ପଞ୍ଜିକରଣ କରବା ସହ ସ୍ଲଟ୍ ବୁକ୍ କରୁଛନ୍ତି । ଟିକା ସାର୍ଟିଫିକେଟ୍ ମଧ୍ୟ କୋ-ୱିନ୍ ଆପ୍‌ରୁ ଡାଉନ୍‌ଲୋଡ୍ କରିହେଉଛି । ଭାରତ ଭଳି ବିରାଟ ଦେଶରେ ଟିକାକରଣ ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ଏହାକୁ ସରଳୀକରଣ କରିପାରିଛି କୋ-ୱିନ୍ ଆପ୍ । ଏହି ଆପ୍ ଏବେ ବିଶ୍ୱର ଅନେକ ଦେଶର ଦୃଷ୍ଟି ଆକର୍ଷଣ କରିଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘କୋ-ୱିନ୍ ଗ୍ଲୋବାଲ କନକ୍ଲେଭ’ ଜରିଆରେ ଉକ୍ତ ଦେଶମାନଙ୍କୁ ସମ୍ବୋଧନ କରିବେ । ଟିକାକରଣ ଅଭିଯାନରେ ଭାରତ ନିଜର ଏହି ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ପାଇଁ ଆଗ୍ରହୀ ଦେଶଗୁଡିକୁ ଅନୁମତି ଦେଇପାରେ ।

କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ୟୁଗାଣ୍ଡା ସମେତ ୫୦ ଦେଶ କୋ-ୱିନ୍ ଆପ୍‌କୁ ଟିକାକରଣ ପାଇଁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଯେବେ ଜାନୁୟାରୀରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଅଭିଯାନ ହୋଇଥିଲା, କେନ୍ଦ୍ର ସରକାର କୋ-ୱିନ୍ ଆପ୍‌ର ଶୁଭାରମ୍ଭ କରିଥିଲେ । ଟିକାକରଣ ପ୍ରକ୍ରିୟାରେ ଜଡିତ ଅଧିକାରୀ ଏବଂ ହିତାଧିକାରୀ ମାନଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଥିଲା ଏହି ଆପ୍ ।

କୋ-ୱିନ୍ ଆପ୍‌ର ଏକ ଓପନ ସୋର୍ସ ଭର୍ସନ୍ ପ୍ରସ୍ତୁତ କରି ଏହା ଆଗ୍ରହୀ ଦେଶମାନଙ୍କୁ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.