ପୁଣି ହାତ ମିଳାଇବେ ବିଜେପି-ଶିବସେନା ? ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଏକାଠି ହେବେ କି ବିଜେପି-ଶିବସେନା ? ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନିକଟରେ ଦେଇଥିବା ମନ୍ତବ୍ୟ ପରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି।

ଦେବେନ୍ଦ୍ର ଫଡନାଭିସ୍ ଗଣମାଧ୍ୟମକୁ କହିଥିଲେ ଯେ ବିଜେପି ଏବଂ ଶିବସେନା ଶତ୍ରୁ ନୁହଁନ୍ତି। ତାଙ୍କୁ ବିଜେପି ଏବଂ ଶିବସେନା ମଧ୍ୟରେ ଏକାଠି ହେବାର ସମ୍ଭାବନା ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ଫଡନାଭିସ୍ ଏଭଳି କହିଥିଲେ । ସେ କହିଥିଲେ ଯେ, ରାଜନୀତିରେ କୌଣସି କିନ୍ତୁ-ପରନ୍ତୁର ସ୍ଥାନ ନାହିଁ। ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଏ | ବିଜେପି ଏବଂ ଶିବସେନା ମଧ୍ୟରେ ବୈଚାରିକ ପାର୍ଥକ୍ୟ ଅଛି କିନ୍ତୁ ସେମାନେ ଶତ୍ରୁ ନୁହଁନ୍ତି। ଏହା ମନେରଖିବା ଉଚିତ୍ ଯେ ଶିବସେନା ଆମ ସହ ମିଶି ନିର୍ବାଚନ ଲଢିଥିଲା ଏବଂ ଫଳାଫଳ ପରେ କଂଗ୍ରେସ ଏବଂ ଏନସିପି ସହ ହାତ ମିଳାଇଥିଲା ବୋଲି ଫଡନାଭିସ୍ କହିଛନ୍ତି ।

ବିଜେପି ନେତାଙ୍କ ସହ ଶିବସେନାର ସଞ୍ଜୟ ରାଉତଙ୍କ  ସାକ୍ଷାତ ସମ୍ପର୍କରେ ସେ କହିଛନ୍ତି ଯେ ସଞ୍ଜୟ ରାଉତ କୌଣସି ବିଜେପି ନେତାଙ୍କୁ ଭେଟିଛନ୍ତି ନା ନାହିଁ ମୁଁ ଜାଣି ନାହିଁ। ସେ ସକାଳେ ଆଉ କିଛି ଏବଂ ସନ୍ଧ୍ୟାରେ ଆଉ କିଛି କୁହନ୍ତି |

ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି ।

ଦେବେନ୍ଦ୍ର ଫଡନାଭିସ୍ ଏ ବିଷୟରେ କହିଛନ୍ତି, ସୋମବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ରାଜ୍ୟ ସରକାର ସଂକ୍ଷିପ୍ତ ଅଧିବେଶ କରି ଏକ ରେକର୍ଡ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ଏପରି ବ୍ୟବସ୍ଥା କରାଯାଇଛି ଯେ କୌଣସି ସଦସ୍ୟ କହିବାକୁ ସୁଯୋଗ ପାଇବେ ନାହିଁ। ଜରୁରୀକାଳୀନ ସମୟରେ ମଧ୍ୟ ଏପରି ବ୍ୟବସ୍ଥା ଦେଖାଯାଇନଥିଲା।

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୌସୁମୀ ଅଧିବେଶନକୁ ମାତ୍ର ଦୁଇ ଦିନ ବସିବ । ଏହାକୁ ବିଜେପି ବିରୋଧ କରିଛି।

Comments are closed.