‘ପଡୋଶୀଙ୍କ ପତ୍ନୀ’ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦିନେଶ କାର୍ତ୍ତିକ

ବ୍ରିଷ୍ଟଲ: ‘ପଡୋଶୀଙ୍କ ପତ୍ନୀ’ ମନ୍ତବ୍ୟ ପାଇଁ ଭାରତ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ କ୍ଷମା ପ୍ରାର୍ଥନା କରିଛନ୍ତି । କାର୍ତ୍ତିକ ସମ୍ପ୍ରତି ଇଂଲଣ୍ଡ-ଶ୍ରୀଲଙ୍କା ଦିନିକିଆ ସିରିଜ ପାଇଁ ‘ସ୍କାଏ ସ୍ପୋର୍ଟ୍ସ’ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ଅଛନ୍ତି । ଗତ ଗୁରୁବାର ଏହି ସିରିଜର ଦ୍ୱିତୀୟ ମ୍ୟାଚ ବେଳେ ସେ ଏହି ଆପତ୍ତି ଜନକ ଶବ୍ଦ ବ୍ୟବହାର କରିଥିଲେ । ଏଭଳି ମନ୍ତବ୍ୟ ପାଇଁ କାର୍ତ୍ତିକ ଚାରିଆଡୁ ସମାଲୋଚିତ ହୋଇଥିଲେ ।

ଇଂଲଣ୍ଡ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ କମେଣ୍ଟ୍ରି କରୁଥିବା ସମୟରେ କାର୍ତ୍ତିକ ବ୍ୟାଟକୁ ପଡୋଶୀର ପତ୍ନୀ ସହ ତୁଳନା କରିଥିଲେ । କାର୍ତ୍ତିକ କହିଥିଲେ, ଅଧିକାଂଶ ବ୍ୟାଟ୍ସମ୍ୟାନ୍ ନିଜ ବ୍ୟାଟକୁ ପସନ୍ଦ କରନ୍ତି ନାହିଁ । ସେମାନେ ଅନ୍ୟ ଖେଳାଳିଙ୍କ ବ୍ୟାଟକୁ ପସନ୍ଦ କରନ୍ତି । ବ୍ୟାଟ୍ ପଡୋଶୀଙ୍କ ପତ୍ନୀ ଭଳି । ଏହା ସର୍ବଦା ଭଲ ଲାଗେ ।

ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ କାର୍ତ୍ତିକଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକ କଡା ସମାଲୋଚନା କରିଥିଲେ । ଅନେକ ପ୍ରଶଂସକ ତାଙ୍କର ଏହି ମନ୍ତବ୍ୟକୁ ଅଭଦ୍ର ଓ ସେକ୍ସିଷ୍ଟ ବୋଲି ଅଭିହିତ କରିଥିଲେ । ଚାରିଆଡୁ ସମାଲୋଚିତ ହେବା ପରେ ରବିବାର ଇଂଲଣ୍ଡ-ଶ୍ରୀଲଙ୍କା ତୃତୀୟ ଦିନିକିଆ ବେଳେ କାର୍ତ୍ତିକ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି । ଗତ ମ୍ୟାଚରେ ଯାହା ଘଟିଥିଲା ସେଥିପାଇଁ ମୁଁ କ୍ଷମା ମାଗୁଛି । ମୋର କୌଣସି ଭିନ୍ନ ଉଦ୍ଦେଶ୍ୟ ନଥିଲା । ମୋ ଦ୍ୱାରା ଏକ ଭୁଲ ହୋଇଗଲା । ମୁଁ ସମସ୍ତଙ୍କୁ ଏଥିପାଇଁ କ୍ଷମା ମାଗୁଛି । ମୁଁ ଏଥିପାଇଁ ଦୁଃଖିତ । ଏଭଳି କହିବା ଆଦୌ ଉଚିତ ନଥିଲା । ଏଥିପାଇଁ ମୋତେ ମୋର ମା’ ଓ ପତ୍ନୀ ମଧ୍ୟ ଗାଳି କରିଥିଲେ ବୋଲି କାର୍ତ୍ତିକ କହିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ ଡବ୍ଲୁଟିସି ଫାଇନାଲ ବେଳେ ମଧ୍ୟ କାର୍ତ୍ତିକ କମେଣ୍ଟ୍ରି କରିଥିଲେ । ସେ ଏହି ମ୍ୟାଚ ପାଇଁ କିମ୍ବଦନ୍ତୀ ସୁନୀଲ ଗାଭାସ୍କର, ନାସିର ହୁସେନ, ମାଇକ୍ ଆର୍ଥରଟନ ଓ କୁମାର ସାଙ୍ଗାକାରାଙ୍କ ଭଳି ଭାଷ୍ୟକାରଙ୍କ ସହ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ଥିଲେ ।

Comments are closed.