ଚୂଡାନ୍ତ ପରୀକ୍ଷାରେ ଫାଇଜର କରୋନା ଟିକା ୯୫% ପ୍ରଭାବୀ

ନୂଆଦିଲ୍ଲୀ – କରୋନା ମୁକାବିଲା କ୍ଷେତ୍ରରେ ଭଲ ଖବର ଆସିଛି । ଆମେରିକାର ଔଷଧ କମ୍ପାନୀ ଫାଇଜର ତରଫରୁ ବିକଶିତ କରୋନା ଟିକା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷାରେ ୯୫% ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏହି ଟିକା ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ଠାରେ ବି ବିନା କୌଣସି ପାଶ୍ୱର୍ ପ୍ରତିକ୍ରିୟାରେ ସକାରାତ୍ମକ ଫଳ ଦେଇଛି ବୋଲି ଫାଇଜର ଦାବି କରିଛି ।

ଫାଇଜର ଏବେ ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଲୋଡିଛି । ଚୂଡାନ୍ତ ପରୀକ୍ଷାରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୧୭୦ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏମାନଙ୍କ ମଧ୍ୟରୁ ୧୬୨ ଜଣଙ୍କୁ ପ୍ଲେସିବୋ ତଥା ପ୍ଲେନ୍ ସାଲିନ୍ ଡୋଜ୍ ଦିଆଯାଇଥିବା ବେଳେ ୮ ଜଣଙ୍କ ଶରୀରରେ ଟିକାର ପ୍ରକୃତ ଡୋଜ୍ ପ୍ରୟୋଗ କରାଯାଇଥିଲା । କରୋନା ସଂକ୍ରମଣ ରୋକିବାରେ ଟିକା ୯୫% ସଫଳ ହୋଇଥିଲା ବୋଲି ଫାଇଜର ତରଫରୁ କୁହାଯାଇଛି ।

ଜର୍ମାନ କମ୍ପାନୀ ବାୟୋଏନଟେକର ସହଭାଗିତାରେ ଫାଇଜର ଏହି ଟିକା ପ୍ରସ୍ତୁତ କରିଛି । ଫାଇଜର ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୭ରୁ ଆରମ୍ଭ ହୋଇଥିଲା । ଏଥିରେ ୪୩, ୬୬୧ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲା ବେଳେ ୪୧ ହଜାର ୧୩୫ ଜଣଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା । ସପ୍ତାହକ ପୂର୍ବରୁ ଫାଇଜର ଦାବି କରିଥିଲା ଯେ, ଏହାର ଟିକା ୯୦% ଫଳପ୍ରଦ । ଫାଇଜର ଓ ମଡର୍ଣ୍ଣା ଦ୍ୱାରା ବିକଶିତ ଟିକା ଆରଏନଏ ମେସେଞ୍ଜର ଆଧାରିତ । ଫାଇଜର ଟିକାର ସଫଳ ପରୀକ୍ଷଣ ପରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଶା ବଢିଥିବା ବେଳେ ଏହାର ସଂରକ୍ଷଣ ଭାରତ ଭଳି ଦେଶ ପାଇଁ ଚ୍ୟାଲେଞ୍ଜିଂ ହେବ । କାରଣ ଏହି ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରା ଜରୁରୀ ।

Comments are closed.