ପୁରୀ : ଆଜି ରୋଚକ କଥାରେ ରଥରେ ଚିତ୍ରକାର ଓ ରୂପକାର ସେବା

ପବିତ୍ର ଘୋଷ ଯାତ୍ରା ବା ରଥଯାତ୍ରାକୁ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ଅନେକ ସେବାୟତ ନିଜ ନିଜର ସେବାକାର୍ଯ୍ୟ ପ୍ରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଚିତ୍ରକାର ଓ ରୂପକାର ସେବା ଅନ୍ୟତମ। ଶ୍ରୀମନ୍ଦିର ଛତିଶା ନିଯୋଗ ଅନ୍ତର୍ଭୁକ୍ତ ଏହିସେବା। ଚିତ୍ରକାର ଦତ୍ତ ମହାପାତ୍ର ମାନେ ଶ୍ରୀମନ୍ଦିର ଭିତରେ ବର୍ଷ ସାରା ଶ୍ରୀଜୀଉଙ୍କ ବନକ ଲାଗି କରୁଥିବା ବେଳେ ରଥଯାତ୍ରା ସମୟରେ ଚିତ୍ରକାରଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରେ। ରଥ ନିର୍ମାଣ ସମୟରେ ରଥର ବିଭିନ୍ନ ଅଙ୍ଗକୁ ଚିତ୍ରିତ କରି ରଥର ଶୋଭା ବର୍ଦ୍ଧନ କରିଥାନ୍ତି। ତାଳଧ୍ଵଜ, ଦେଵଦଳନ ଓ ନନ୍ଦିଘୋଷ ରଥର ଦ୍ୱାରପାଳ କୁମୁଦ-କୁମୁଦାକ୍ଷ , ଗଙ୍ଗା-ଯମୁନା, ଜୟ-ବିଜୟ ମୂର୍ତ୍ତି ଚିତ୍ରିତ କରିଥାନ୍ତି। ସିଂହାସନ ଉପରେ କଳସ ଓ ନିମ୍ନଭାଗରେ ରାହୁମସ୍ତକ। ଏହାପରେ ଲତାଯୁକ୍ତ ବାଙ୍କପଟ୍ଟି ଓ ଦୁଇ କର୍ଣ୍ଣରେ ମଗର ମୁଣ୍ଡ ଆଙ୍କିଥାନ୍ତି। ରଥାରୂଢ ଦାରୁ ବିଗ୍ରହ ଏହି ଚିତ୍ରିତ ପ୍ରଭା ମଧ୍ୟରେ ବିରାଜମାନ କରନ୍ତି। ପ୍ରଭାର ଦୁଇପଟେ ଯୋଡ଼ ହସ୍ତରେ ଦଣ୍ଡାୟମାନ ଶ୍ରୀବଳଭଦ୍ର ଙ୍କ ଶିବ-ନାରଦ, ଶ୍ରୀସୁଭଦ୍ରାଙ୍କ ଜୟା ବିଜୟା, ଶ୍ରୀଜଗନ୍ନାଥଙ୍କ ବ୍ରହ୍ମା-ଇନ୍ଦ୍ର ଅଙ୍କିତ ହୋଇଥାନ୍ତି।ରଥ ତୋରଣର ଦୁଇ ପାର୍ଶ୍ଵରେ ଅପସରା, ଋଷିପଟ୍ଟା, କପୋତାଲି ରେ ଶାନ୍ତି କପୋତ ବାହିନୀ, ଦଧିନଉତିରେ ଉର୍ଦ୍ଧ୍ବମୁଖୀ ଓ ଅର୍ଦ୍ଧରେ ଅଷ୍ଟଦଳପଦ୍ମ ଅଙ୍କନ କରିବା ସହିତ। ରଥ କଳସର ଦୁଇପଟେ ଓଲଟା ଶୁଆ ଅଙ୍କନ କରିଥାନ୍ତି। 

ଏହି ଚିତ୍ରକାର ନିଯୋଗର ଚିତ୍ରକାର ସେବକ ହିଙ୍ଗୁଳ, ହରିତାଳ, ଶଙ୍ଖ, ଶଢେଇକଳା, ନୀଳରଙ୍ଗ, ପଚା ଓ ତୁତିଆ ଦ୍ୱାରା ଚକା, ଅରଖୁମ୍ବିକା, ସିଂହାସନ ଓ ନାଟସ୍ତମ୍ବ ଚିତ୍ରିତ କରି ରଥକୁ ଆକର୍ଷଣୀୟ କରିଥାନ୍ତି। ତିନି ରଥର ଘୋଡା, ସାରଥୀ ଓ ରଥସଖୀକୁ ଏହିମାନେ ରଙ୍ଗରାଜ କରିଥାନ୍ତି।
ସେହିପରି ରଥର ଚାରିପଟେ ଲାଗୁଥିବା ମୂର୍ତ୍ତୀ ଗୁଡିକ ରୂପକାର ସେବକମାନେ ଖୋଦନ କରିଥାନ୍ତି। ରୂପକାର ସେବକମାନେ ହେଉଛନ୍ତି ଶାଢ଼ୀବନ୍ଧା ସେବକ। ବିଶେଷକରି ନବକଳେବର ସମୟରେ ଏମାନେ ରଥର ସାରଥୀ, ଘୋଡା, ପର୍ଶ୍ଵଦେଵତା, ଶୁଆ ନୂତନ ଭାବରେ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ନବନିର୍ମିତ ରଥର ନାଟ ଗୋଡ଼, କଣ ଗୁଜ, ପ୍ରଭା ଆଦି ଖୋଦନ କରିଥାନ୍ତି। ଏହାସହ ରୂପକାର ମାନେ ତିନି ରଥର ଧ୍ବଜା ଦେବତା ନିର୍ମାଣ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ରଥର ଉର୍ଦ୍ଧ୍ବରେ ସପ୍ତଛନ୍ଦମୟ ଲାଙ୍ଗଳଧ୍ଵଜ, ଶ୍ରୀ ସୁଭଦ୍ରାଙ୍କ ରଥ ନିମିତ୍ତ ପଦ୍ମଧ୍ଵଜ ଓ ଶ୍ରୀଜଗନ୍ନାଥଙ୍କ ରଥର ସର୍ପ ଧାରଣ କାରୀଥିବା ଉଡିୟମାନ ଗରୁଡରୂପ ରକ୍ତ ଚନ୍ଦନ କାଷ୍ଠ ରେ ନିର୍ମାଣ କରିଥାନ୍ତି।

Comments are closed.