ରିଓ ଡି ଜେନେରିଓ : ଶେଷରେ ଲିଓନେଲ ମେସିଙ୍କ ଦୀର୍ଘ ଦିନର ଯନ୍ତ୍ରଣାଦାୟକ ଅପେକ୍ଷାର ଅନ୍ତ ଘଟିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲକୁ ୧-୦ରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ୍ ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆର୍ଜେଣ୍ଟିନା ୧-୦ ଗୋଲ୍ରେ ବ୍ରାଜିଲକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ୍ ଜିତିଛି । ଏଥିସହ ଏକ ପ୍ରମୁଖ ଅନ୍ତର୍ଜାତୀୟ ଟାଇଟଲ୍ ଜିତିବା ନେଇ ମେସିଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି ।
ଆଧୁନିକ ଯୁଗର ଅନ୍ୟତମ ମହାନ ଖେଳାଳି ଭାବେ ବିବେଚିତ ମେସି ନିଜ ଗୌରବମୟ କ୍ୟାରିୟରରେ ବାର୍ସିଲୋନା ପାଇଁ ୧୦ଟି ଲା ଲିଗା ଟାଇଟଲ ଏବଂ ୪ଟି ଚାମ୍ପିୟନ୍ସ ଲିଗ୍ ଟ୍ରଫି ଜିତିଛନ୍ତି । ଏହାଛଡ଼ା ସେ ଶ୍ରେଷ୍ଠ ଖେଳାଳି ଭାବେ ସେ ୬ ଥର ବାଲନ୍ ଡି’ଅର୍ ପୁରସ୍କାର ବି ଜିତିଛନ୍ତି । ହେଲେ ଏହି ଆର୍ଜେଣ୍ଟିନା ସୁପରଷ୍ଟାରଙ୍କ ଏକ ବଡ଼ ଅନ୍ତର୍ଜାତୀୟ ଟାଇଟଲ ଜିତି ନ ପାରିବା ଅବସୋସ ରହିଯାଇଥିଲା । ତାଙ୍କର ଏହି ଅବସୋସ୍ ଏବେ ପୂରଣ ହୋଇଛି ।
୨୨ତମ ମିନିଟରେ ଆଞ୍ଜେଲ ଡି’ମାରିଆଙ୍କ ଗୋଲ୍ ଆର୍ଜେଣ୍ଟିନା ଓ ମେସିଙ୍କ ଟାଇଟଲ୍ ଅପେକ୍ଷାର ଅନ୍ତ ଘଟାଇବା ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା । ବ୍ରାଜିଲ ମ୍ୟାଚକୁ ଫେରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ଆର୍ଜେଣ୍ଟିନା ୧-୦ ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜୟା ରଖି ଟାଇଟଲ୍ ନିଶ୍ଚିତ କରିଥିଲା । ଆର୍ଜେଣ୍ଟିନା ୧୫ତମ ଥର ପାଇଁ କୋପା ଆମେରିକା ଟାଇଟଲ ଜିତିଛି । ସର୍ବାଧିକ କୋପା ଆମେରିକା ଚାମ୍ପିୟନ ହେବାରେ ଏବେ ଉରୁଗୁଏ ସହ ସମକକ୍ଷ ହୋଇଛି ଆର୍ଜେଣ୍ଟିନା । ଟୁର୍ଣ୍ଣାମେଣ୍ଟରେ ୪ଟି ଗୋଲ୍ ଦେଇଥିବା ମେସି ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ବିବେଚିତ ହୋଇଛନ୍ତି ।
ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା କୋପା ଆମେରିକାର ୨୦୧୫ ଓ ୨୦୧୬ ସଂସ୍କରଣରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ହେଁ ଉଭୟ ଥର ଚିଲି ଠାରୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ଏପରିକି ୨୦୧୬ କୋପା ଆମେରିକାରେ ଫାଇନାଲରେ ଚିଲି ଠାରୁ ପରାସ୍ତ ହେବା ପରେ ମେସି ହଠାତ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଆର୍ଜେଣ୍ଟିନାକୁ ଏକ ଅନ୍ତର୍ଜାତୀୟ ଟାଇଟଲ୍ ଦେଇ ପାରିନଥିବା କ୍ଷୋଭରେ ସେ ଏଭଳି ନଷ୍ପତ୍ତି ନେଇଥିଲେ । ତେବେ କିମ୍ବଦନ୍ତୀ ମାରାଡୋନା ଏବଂ ପ୍ରଶଂସକଙ୍କ ଅନୁରୋଧ ପରେ ମେସି ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ଫୁଟବଲକୁ ଫେରିଥିଲେ । ଏବେ ଏହି ଆର୍ଜେଣ୍ଟିନା ଷ୍ଟାରଙ୍କ ବହୁଦିନର ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅଗଣିତ ପ୍ରଶଂସକ ମଧ୍ୟ ମେସିଙ୍କ କୋପା ଆମେରିକା ସଫଳତା ପାଇଁ ଖୁସି ।
Comments are closed.