ବିନୟ ପ୍ରକାଶଙ୍କୁ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ବିଟର୍

ନୂଆଦିଲ୍ଲୀ: ଟ୍ୱିଟର ବିନୟ ପ୍ରକାଶଙ୍କୁ ଭାରତରେ ନିଜ କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। ଏହି ସୂଚନା କମ୍ପାନୀର ୱେବସାଇଟରେ ଦିଆଯାଇଛି | ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଥିଲା ଯେ ନୂଆ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ ଅଧିକାରୀ) ନିଯୁକ୍ତି ପ୍ରକ୍ରିୟା ଚାଲିଛି ଏବଂ ଜୁଲାଇ ୧୧ କିମ୍ବା ଏହା ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ।

ମେ ୩୧ରେ ଓକିଲ ଅମିତ ଆଚାର୍ଯ୍ୟଙ୍କ ପିଟିସନରେ ଦିଲ୍ଲୀ ହାଇକୋର୍ଟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ନୋଟିସ ଜାରି କରିଥିଲେ। କିଛି ମାସ ପୂର୍ବରୁ ଭାରତ ସରକାର ନୂଆ ଆଇଟି ନିୟମ ଆଣିଥିଲେ । ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ କହିଥିଲେ । କିନ୍ତୁ ସମସ୍ତ ଚେତାବନୀ ପରେ ଟ୍ୱିଟର ଏହି ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇ ନଥିଲା। ଏହା ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ ଟ୍ୱିଟରର ଓକିଲ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ରେସିଡେନ୍ସ ଅଭିଯୋଗ ଅଧିକାରୀ (ଆରଜିଓ) ନିଯୁକ୍ତ କରିବାକୁ ଆଠ ସପ୍ତାହ ଲାଗିବ।

ଟ୍ବିଟର ୨୬ ମେ ୨୦୨୧ରୁ ୨୫ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଏହାର ଅନୁପାଳନ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ନୂଆ ଆଇଟି ନିୟମ ଅନୁଯାୟୀ ଏହା ଅନ୍ୟ ଏକ ଆବଶ୍ୟକତା ଯାହା ମେ ୨୬ ରୁ ଲାଗୁ ହୋଇଥିଲା । ଏହାପୂର୍ବରୁ ଟ୍ୱିଟର ଧର୍ମେନ୍ଦ୍ର ଚାଟୁରଙ୍କୁ ଆଇଟି ନିୟମ ଅନୁଯାୟୀ ଭାରତ ପାଇଁ ମଧ୍ୟବର୍ତ୍ତୀକାଳୀନ ଅଭିଯୋଗ ଅଧିକାରୀ ଭାବରେ ନିଯୁକ୍ତ କରିଥିଲା। ତେବେ ସେ ଗତ ମାସରେ ଇସ୍ତଫା ଦେଇଥିଲେ। ଭାରତରେ ଏହି ସୋସିଆଲ ମିଡ଼ିଆ କମ୍ପାନୀର ପ୍ରାୟ ୧.୭୫ କୋଟି ୟୁଜର ଅଛନ୍ତି।

Comments are closed.