ହେରାପଞ୍ଚମୀରେ ନନ୍ଦିଘୋଷ ଭାଙ୍ଗିଲେ ମହଲକ୍ଷ୍ମୀ

ଆଜି ପବିତ୍ର ହେରାପଞ୍ଚମୀ ତିଥିରେ ପରମ୍ପରା ଅନୁସାରେ ନନ୍ଦିଘୋଷ ଭାଙ୍ଗିଲେ ଶ୍ରୀ ମହାଲକ୍ଷ୍ମୀ। ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇଥିବାରୁ ମାନ କରିଥିଲେ ପାଟରାଣି। ଆଜି ସେଇ ରୋଷରେ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ। ଆଜି ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂଜା ବସିବା ପରେ ଶ୍ରୀମନ୍ଦିର ରୁ ବିଜେ କରିଥିଲେ ଶ୍ରୀଦେବୀ ବା ମହାଲକ୍ଷ୍ମୀ। ଘଣ୍ଟ, କାହାଳୀ , ଛତା ସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପନ୍ତିଭୋଗ ଖାଇ ଶରଧା ବାଲି ରେ ଦଣ୍ଡାୟମାନ କରିଥିବା ନନ୍ଦିଘୋଷ ରଥ ନିକଟରେ ପହଁଚିଥିଲେ। ପତି ମହାପାତ୍ର ବନ୍ଦାପନା କାର୍ଯ୍ୟ ଶେଷ କରିବାପରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ର ଜୟ ବିଜୟ ଦ୍ୱାର ନିକଟରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ଆଜ୍ଞା ମାଳ ତାଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ସନ୍ଧ୍ୟାଧୂପ ଟେରା ପଡିଥିଲା। ସେଠାରୁ ମହାଲକ୍ଷ୍ମୀ ଅପମାନିତ ବୋଧ କରି ନାକଚଣା ଦ୍ୱାରରେ ଆସି ଉପବେଶନ କରିଥିଲେ।ସେଠାରେ ଭିତରଛୁ ମହାପାତ୍ର ଦହି ପଟି ମଣୋହି କରିଥିଲେ। ସେଠାରୁ ଶ୍ରୀଦେବୀ ପୁନର୍ବାର ନନ୍ଦିଘୋଷ ରଥ ନିକଟକୁ ଆସି ହଂସପଟ୍ଟା ର କିଛି ଅଂଶ ଭାଙ୍ଗି ହେରାଗୋହୀରି ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆସନ୍ତା କାଲି ଠାରୁ ବହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । କାଲି ସକାଳ ଧୂପ ପରେ ଆଜ୍ଞା ମାଳ ବିଜେ ହୋଇ ସର୍ବ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣୀ ମୋଡ଼ କରାଯିବ।

Comments are closed.