ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା, ଅପରାହ୍ନ ୨ଟା ଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଳୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖାଯାଇଛି ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆସନରୁ ଉଠି ନୂଆ ମନ୍ତ୍ରୀ ମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରିବା ବେଳେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇଥିଲେ ମଧ୍ୟ ବିରୋଧୀ ଶୁଣିନଥିଲେ । ପରେ ଲୋକସଭା ବାଚସ୍ପତି ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖିଥିଲେ ।

ସଂସଦର ମୌସୁମୀ ଅଧିବେଶନରେ ତୈଳଦର ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସହ କରୋନା ସଂକ୍ରମଣ ଓ ପେଗାସସ୍ ସର୍ଭିଲାନ୍ସ ବିବାଦ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଅଣ୍ଟା ଭିଡିଛନ୍ତି ।

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସାଂସଦ ମାନଙ୍କୁ ଗୃହରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ । ଗୃହରେ ବିଭିନ୍ନ ପ୍ରସଙ୍ଗ ଉପରେ ଗଠନମୂଳକ ଆଲୋଚନା କରାଯାଉ । ଅଯଥାରେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ନ କରି ଜନତାଙ୍କ ମଙ୍ଗଳ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ମୋଦି ସାଂସଦ ମାନଙ୍କୁ ନିବେଦନ କରିଥିଲେ ।

Comments are closed.