‘ମୋ ସ୍କୁଲ’ ରେ ଅନ୍ତର୍ଭୁକ୍ତ ହେଲେ ୩୫ ହଜାରରୁ ଉର୍ଦ୍ଧ୍ଵ ସ୍କୁଲ, ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ‘ମୋ ସ୍କୁଲ୍ ଅଭିଯାନ’ର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୨୩ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ୍ ଅଭିଯାନ” ସହ ଯୋଡ଼ି ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାତା ମିଳିଛି । ବାଲେଶ୍ବରରେ ସର୍ବାଧିକ ୧.୭୫ କୋଟି , କଟକରେ ୩୫ ଲକ୍ଷ ୭୪ ହଜାର , ବରଗଡ଼ରେ ୨୧ ଲକ୍ଷ ୪୫ ହଜାର , ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଏବଂ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୦ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୯୪ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ବର ଜିଲ୍ଲାରେ ଲଗାତାର ୭ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ “ମୋ ସ୍କୁଲ୍ ଅଭିଯାନ”କୁ ବିପୁଳ ସମର୍ଥନ ମିଳିଥିବା ବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୪୮ହଜାର ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ୍ ଅଭିଯାନ”ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ବ ସ୍କୁଲ୍ “ମୋ ସ୍କୁଲ୍ ଅଭିଯାନ”ରେ ସାମିଲ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ଆଗେଇ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ଏସ୍‌ଏମ୍‌ଏସ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି ।

“ମୋ ସ୍କୁଲ୍ ଅଭିଯାନ” ଅନ୍ତର୍ଗତ ‘ ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ‘ ମୋ ସ୍କୁଲ୍ ‘ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ଵତନ୍ତ୍ର ଏକ ଏକାଡେମିକ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ଏହି କମିଟି ସ୍କୁଲର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଦିଗରେ ପରାମର୍ଶ ଦେବ । ‘ ୫ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ କମିଟିର ପରାମର୍ଶ ଅନୁଯାୟୀ ପିଲାଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦିଆଯିବ । ୫ଟି ହାଇସ୍କୁଲ ଟ୍ରାନ୍ସଫର୍ମେଶନ ଅଧୀନରେ ଆସୁଥିବା ୧ ହଜାର ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଜ୍ଞାନ , ବୈଷୟିକ ଓ ଗଣିତ ଭଳି ବିଷୟରେ ଦକ୍ଷ କରିବାକୁ ଆଇବିଏମ୍ ଷ୍ଟେମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଥିବା ବେଳେ ୫ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ଏକ ଗାଇଡାନ୍ସ ପୁସ୍ତିକା ପ୍ରଦାନ କରାଯାଇଛି । ଇତିମଧ୍ୟରେ ପ୍ରାୟତଃ ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା ୨୭ ତାରିଖରୁ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି । ୫ ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳଗୁଡ଼ିକର କାର୍ଯ୍ୟ ଅଗ୍ରଗତି ଏବଂ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ “ମୋ ସ୍କୁଲ୍ ଅଭିଯାନ” କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

“ମୋ ସ୍କୁଲ୍ ଅଭିଯାନ” ଅନ୍ତର୍ଗତ ସ୍କୁଲ୍ ଆଡପଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନିୟମିତ ବ୍ୟବଧାନରେ ମେଣ୍ଟର , ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ସେହିଭଳି କୋଭିଡ଼ ପରିସ୍ଥିତି ଲାଗି ଅଟକି ରହିଥିବା ଲର୍ଣ୍ଣିଂ କ୍ୟାମ୍ପ କାର୍ଯ୍ୟକ୍ରମକୁ ଅଗଷ୍ଟ ମାସରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟସ୍ତରରେ ମୋ ସ୍କୁଲ୍ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ପାଇଁ ଖୁବ୍‌ଶୀଘ୍ର ‘ ମୋ ସ୍କୁଲ୍ ‘ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ବିଭାଗୀ ପ୍ରମୁଖ ଶାସନ ସଚିବ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓଏସ୍‌ଇପିଏ ନିର୍ଦ୍ଦେଶକ , ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ , ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ , ଏସସିଇଆର୍‌ଟି , ବିଭାଗୀୟ ଅତିରିକ୍ତ ଶାସନ ସଚିବ , ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ , ମୋ ସ୍କୁଲ ଉପସ୍ଥିତ ଥିଲେ ।

Comments are closed.