ଆମେରିକୀୟ ଅଧ୍ୟୟନରେ ଦାବି, ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଗୁଣ ଅଧିକ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାରେ ଥିବା ଭାରତ ଦ୍ୱିତୀୟ ଲହରୀର ଭୟଙ୍କର ରୂପ ଦେଖିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଏହି ମହାମାରୀରେ ଏଯାବତ୍ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଆମେରିକୀୟ ଅଧ୍ୟୟନରେ ଏହାଠାରୁ ୧୦ ଗୁଣ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଆମେରିକାର ଏକ ଗବେଷଣା ସମୂହ ଗୋଷ୍ଠୀର ରିପୋର୍ଟରେ କୁହାଯାଇଛି ଯେ ଭାରତରେ କରୋନା ମହାମାରୀ ଯୋଗୁଁ ୩୪ ରୁ ୪୭ ଲକ୍ଷ ମୃତ୍ୟୁ ହୋଇଛି। ଯାହା ସରକାରୀ ତଥ୍ୟ ତୁଳନାରେ ୧୦ ଗୁଣ ଅଧିକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୪,୧୪,୪୮୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ବିଶ୍ୱରେ ତୃତୀୟ ସର୍ବାଧିକ। ଆମେରିକାରେ କରୋନା ଜନିତ ମୃତ୍ୟୁ ୬୦୯୦୦୦ ହୋଇଥିବା ବେଳେ ବ୍ରାଜିଲରେ ୫୪୨୦୦୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ କରୋନା ମୃତ୍ୟୁ ସଂଖ୍ୟା ନେଇ ଏ ପର୍ଯ୍ୟନ୍ତ ଯେଉଁ କିଛି ସଂସ୍ଥା ଦାବି କରିଛନ୍ତି, ତା’ତୁଳନାରେ ଆମେରିକୀୟ ଗବେଷଣା ଗୋଷ୍ଠୀ ‘ସେଣ୍ଟର ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟ’ର ରିପୋର୍ଟରେ କରାଯାଇଥିବା ଦାବି ସର୍ବାଧିକ ‌।

ଆମେରିକୀୟ ଗବେଷକ କହିଛନ୍ତି ଯେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ପ୍ରକୃତରେ ୫୦ ଲକ୍ଷ ପାଖାପାଖି ହୋଇପାରେ। ଯଦି ଏହି ସଂଖ୍ୟା ବିଚାରକୁ ନିଆଯାଏ ତେବେ ସ୍ୱାଧୀନତା ଏବଂ ବିଭାଜନ ପରଠାରୁ ଏହା ଭାରତର ସବୁଠାରୁ ବଡ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିପର୍ଯ୍ୟୟ ହେବ | ଏହି ଅଧ୍ୟୟନରେ କରୋନା କାଳରେ ମୃତ୍ୟୁ ଏବଂ ବିଗତ ବର୍ଷଗୁଡ଼ିକରେ ହୋଇଥିବା ମୃତ୍ୟୁ ସଂଖ୍ୟାର ବିଶ୍ଳେଷଣ କରାଯାଇଛି। ଏହାକୁ ଭିତ୍ତି କରି ୨୦୨୦ ରୁ ୨୦୨୧ ମଧ୍ୟରେ ମୃତ୍ୟୁସଂଖ୍ୟା ଆକଳନ କରାଯାଇଛି ‌‌। ଏଥିସହ ‘ସେଣ୍ଟର ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟ’ ଭାରତ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଉପରେ ପ୍ରଶ୍ନ ଉଠାଇଛି।

ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ ଷ୍ଟଡି ଦ୍ବାରା ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟ ସରକାରୀ ତଥ୍ୟ, ଆନ୍ତର୍ଜାତୀୟ ଆକଳନ, ସେରୋଲୋଜିକାଲ ରିପୋର୍ଟ ଏବଂ ଘରୋଇ ସର୍ଭେ ଆଧାରରେ ପ୍ରସ୍ତୁତ କରାଯାଇଛି। ବଡ଼ କଥା ହେଉଛି ଏହି ରିପୋର୍ଟର ଲେଖକମାନଙ୍କ ମଧ୍ୟରୁ ମୋଦି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବି ଅଛନ୍ତି।

Comments are closed.