ବ୍ରିସବେନକୁ ମିଳିଲା ୨୦୩୨ ଅଲିମ୍ପିକ୍ସ ଆୟୋଜନ ଅଧିକାର

ଟୋକିଓ: ଅଷ୍ଟ୍ରେଲିଆର ବ୍ରିସବେନ୍ ଆୟୋଜନ କରିବ ୨୦୩୨ ଅଲିମ୍ପିକ୍ ଗେମ୍ସ | ବିନା ପ୍ରତିଦ୍ବନ୍ଦିତାରେ ବ୍ରିସବେନକୁ ୨୦୩୨ ଅଲିମ୍ପିକ୍ସ ଆୟୋଜନ କରିବାର ଅଧିକାର ମିଳିଛି । ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି) ବୁଧବାର ଏହା ଘୋଷଣା କରିଛି। ଟୋକିଓରେ ଅନୁଷ୍ଠିତ ଆଇଓସିର ୧୩୮ତମ ଅଧିବେଶନରେ ୨୦୩୨ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ କରିବାର ଅଧିକାର ବ୍ରିସବେନକୁ ମିଳିଛି | ବ୍ରିସବେନ ସପକ୍ଷରେ ୭୨-୫ ଭୋଟରେ ନିଷ୍ପତ୍ତି ହୋଇଥିଲା । ଅଷ୍ଟ୍ରେଲିଆ ପୂର୍ବରୁ ଦୁଇଥର ଅଲିମ୍ପିକ୍ସ ଆୟୋଜନ କରିଛି। ପ୍ରଥମେ ୧୯୫୬ରେ ମେଲବୋର୍ଣ୍ଣରେ ଏବଂ ପରେ ୨୦୦୦ରେ ସିଡନୀ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା |

ଆଇଓସି ପୂର୍ବରୁ ୨୦୨୪ ଅଲିମ୍ପିକ୍ସର ଆୟୋଜନ ପ୍ୟାରିସକୁ ଏବଂ ୨୦୨୮ ଅଲିମ୍ପିକ୍ସ ଆୟୋଜନ ଅଧିକାର ଲସ୍ ଆଞ୍ଜେଲସ୍ କୁ ଦେଇଛି | ଫେବୃଆରୀ ୨୦୨୧ରେ ଆଇଓସି କହିଥିଲା ଯେ ୨୦୩୨ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବା ପାଇଁ ବ୍ରିସବେନ୍ ଏକ ଯୋଗ୍ୟ ଦାବିଦାର | ଅବଶ୍ୟ କାତାର ୨୦୩୨ ଗେମ୍ସ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ୧୦ ଜୁନ୍ ରେ ଆଇଓସିର ୧୫ କ୍ଷମତାଶାଳୀ କାର୍ଯ୍ୟନିର୍ବାହୀ ବୋର୍ଡ ବ୍ରିସବେନକୁ ଏକକ ପ୍ରାର୍ଥୀ ଭାବରେ ମଞ୍ଜୁରି ଦେଇଥିଲା।

Comments are closed.