ପେଗାସସ୍ ଗୁଇନ୍ଦାଗିରି ତାଲିକାରେ ଅନିଲ ଅମ୍ବାନି, ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କାରୀ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏହି ଗୁଇନ୍ଦାଗିରିର ଟାର୍ଗେଟ୍‌ରେ ଥିବା ଲୋକଙ୍କ ତାଲିକା ଲମ୍ବି ଚାଲିଛି । ପେଗାସସ୍ ଗୁଇନ୍ଦାଗିରି ଟାର୍ଗେଟ୍‌ରେ ଭାରତୀୟ ଶିଳ୍ପପତି ଅନିଲ ଅମ୍ବାନିଙ୍କ ସହ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ବି ରହିଥିଲେ ବୋଲି ଜଣାପଡ଼ିଛି ।

ନ୍ୟୁଜ୍ ପୋର୍ଟାଲ ‘ଦି ୱାୟାର’ର ଏକ ରିପୋର୍ଟ ମୁତାବକ ପେଗାସସ ସ୍ପାଏୱେର ତାଲିକାରେ ଅନିଲ ଅମ୍ବାନିଙ୍କ ସହ ରିଲାଏନ୍ସ ଗ୍ରୁପ୍‌ର କିଛି ଅଧିକାରୀଙ୍କ ଫୋନ୍ ନମ୍ବର ଥିଲା । ରାଫେଲ୍ ଯୁଦ୍ଧବିମାନ କିଣାରେ ଦୁର୍ନୀତି ଅଭିଯୋଗ ହେବା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନିଲ ଅମ୍ବାନିଙ୍କ ଫୋନ୍ ନମ୍ବର ପେଗାସସ୍ ସ୍ପାଏୱେର ତାଲିକାରେ ରଖାଯାଇଥିବା ଅନୁମାନ କରାଯାଉଛି । ସୂଚନା ଥାଉକି, ଅନିଲ ଅମ୍ବାନିଙ୍କ ଏରୋସ୍ପେସ୍ କମ୍ପାନୀ ହେଉଛି ରାଫେଲ ଜେଟ୍ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍‌ର ଭାରତୀୟ ପାର୍ଟନର । ୩୬ ରାଫେଲ୍ ଯୁଦ୍ଧବିମାନକୁ କିଣିବା ପାଇଁ ଡସଲ୍ଟ ସହ ଭାରତ ସରକାର ପ୍ରାୟ ୭୦ ହଜାର କୋଟିର ଚୁକ୍ତି କରିଥଲେ । କଂଗ୍ରେସ ସହ ବିରୋଧୀ ଦଳ ଏହି ଚୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଅନିଲ ଅମ୍ବାନିଙ୍କ ପ୍ରତି ଅନୁକମ୍ପା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ରାଫେଲ୍ କିଣା ମୂଲ୍ୟକୁ ଜାଣିଶୁଣି ବହୁଗୁଣ ବଢ଼ାଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ । ଡାସଲ୍ଟ ଏଭିଏସନ୍‌ର ଭାରତୀୟ ପ୍ରତିନିଧି ଭେଙ୍କଟ ରାଓ ପୋସ୍ନିଆଙ୍କ ନମ୍ବର ମଧ୍ୟ ପେଗାସସ୍ ସ୍ପାଏୱେର ତାଲିକାରେ ଥିଲା ।

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ମଧ୍ୟ ପେଗାସସ୍ ଗୁଇନ୍ଦାଗିରିର ଟାର୍ଗେଟ୍‌ରେ ଥିଲେ । କେନ୍ଦ୍ର ସହ ମତଭେଦ ଯୋଗୁଁ ବର୍ମାଙ୍କୁ ୨୦୧୮ରେ ଏହି ପଦରୁ ହଟାଇ ଦିଆଯାଇଥିଲା । ବହିଷ୍କୃତ ହେବାର କିଛି ଘଣ୍ଟା ପରେ ବର୍ମାଙ୍କ ଫୋନ୍ ନମ୍ବର ପେଗାସସ୍ ଗୁଇନ୍ଦାଗିରି ତାଲିକାରେ ସାମିଲ କରାଯାଇଥିବା ଜଣାପଡିଛି ।

ପେଗାସସ୍ କେଳେଙ୍କାରୀ ଆମେରିକାର ୱାଟରଗେଟ୍ ସ୍କାଣ୍ଡାଲ ଠାରୁ ବି ବଡ଼ ବୋଲି କହି ଏହାର ଜେପିସି ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ୍ । ଇସ୍ରାଏଲ୍ ସଂସ୍ଥା ଏନ୍‌ଏସ୍‌ଓ ଦ୍ୱାର ନିର୍ମିତ ଗୁଇନ୍ଦା ସଫ୍ଟୱେର୍ ‘ପେଗାସସ୍‌’ ମାଧ୍ୟମରେ ଭାରତରେ ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ, ବିଚାରପତିଙ୍କ ସହ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର, ବର୍ତ୍ତମାନର ଦୁଇଜଣ ମନ୍ତ୍ରୀ ଓ ୪୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କ ମଧ୍ୟ ଫୋନ୍ ଟ୍ୟାପିଂ ହୋଇଛି ।

Comments are closed.