ଓଡିଶା: ମହାମାରା ପରବର୍ତ୍ତୀ ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସୁଯୋଗ

ଓଡ଼ିଶା: ଦେଶର ନୂଆ ମାନୁଫାକଚରିଂ ହବ୍

ଲେଖକ : ପ୍ରତିଭା ନେପାକ

ମହାମାରୀର ଦ୍ବିତୀୟ ଲହରୀକୁ ମଧ୍ୟ ରାଜ୍ୟରେ ଏକରକମ ନିୟନ୍ତ୍ରଣକୁ ଆଣିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର। ଧିରେ ଧିରେ ସାରା ରାଜ୍ୟରେ ଲକଡାଉନ୍ କଟକଣା କୋହଳ କରି ଜନଜୀବନକୁ ସ୍ବାଭାବିକ କରିବାରେ ଲାଗିଛନ୍ତି ସରକାର। ଆଉ ଏହା ମଧ୍ୟରେ କର୍ମନିଯୁକ୍ତି, ଆର୍ଥିକ ସୁଦୃଢୀକରଣ ଓ ଶିଳ୍ପ ସମୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଉଦ୍‌ଘାଟିତ ହୋଇଛି ଦକ୍ଷିଣ ଓ କେନ୍ଦ୍ର ଭାରତର ସର୍ବବୃହତ୍ ଚା ’ ପ୍ୟାକେଜିଂ ଓ ଯୋଗାଣ ଶୃଙ୍ଖଳ ୟୁନିଟ୍। ଏଥିପାଇଁ ନିବେଶ ହୋଇଛି ୧୦୦ କୋଟି ଟଙ୍କା ଯେଉଁଥିରେ ପ୍ରାୟ ୯୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏଥିସହ ଶିଳ୍ପାୟନର ଦ୍ବାଦଶ ପର୍ଯ୍ୟାୟରେ ୬ ଗୋଟି ଜିଲ୍ଲାରେ ୧୪ଟି ନୂତନ ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

କୋଭିଡ୍-୧୯ କାରଣରୁ ସାରା ବିଶ୍ବ ଆର୍ଥିକ ମାନ୍ଦାବସ୍ଥା, ଧିମା ଶିଳ୍ପାୟନର ସମ୍ମୁଖୀନ ହେଉଛି। କିନ୍ତୁ ଓଡ଼ିଶା ଲକଡାଉନ- ସଟଡାଉନ ସମୟରେ ମଧ୍ୟ ୧୨୦୦୦ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। କାରଣ ନବୀନ ସରକାର ଆପଣାଇଛନ୍ତି ନିବେଶକ ଅନୁକୂଳ ନୀତିନିୟମ ଓ ପ୍ରଶାସନିକ ବ୍ୟବସ୍ଥା। କେବଳ ଗଞ୍ଜାମ ନୁହେଁ, ରାଜ୍ୟକୁ ଅଧିକ ଶିଳ୍ପ ସମୃଦ୍ଧ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ସଫଳ ସାକାର ହୋଇପାରିଛି। ବିଶେଷ କରି କରୋନା ସଙ୍କଟ ପରବର୍ତ୍ତୀ ସମୟରେ ରାଜ୍ୟରେ ଶିଳ୍ପ ଜରିଆରେ ଯୁବ ଗୋଷ୍ଠୀଙ୍କ ପାଇଁ କର୍ମ ନିୟୋଜନ ସୁଯୋଗ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ଏକ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିପାରିଛନ୍ତି। ନିବେଶକ ଗୋଷ୍ଠୀ ସକାଶେ ଇନଭେଷ୍ଟମେଣ୍ଟ ଡେଷ୍ଟିନେସନ ପାଲଟିଛି ଓଡ଼ିଶା ଏବଂ ରାଜ୍ୟର ଶିଳ୍ପ ବିକାଶ ଯାତ୍ରାରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ବାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିଡିଓ କନଫରେନ୍ସି ଜରିଆରେ ଟାଟ ଟି ପ୍ୟାକେଜିଂ ୟୁନିଟ୍ ଉଦ୍‌ଘାଟନ କରାଯାଇ ଥିଲା। ଏହି ଅବସରରେ ଶିଳ୍ପ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ- ଆମ ରାଜ୍ୟ ଦେଶରେ ଶିଳ୍ପ ବିକାଶ।କ୍ଷେତ୍ରରେ ଅଗ୍ରଣୀ ରହିଛି। ଓଡ଼ିଶାର ଶିଳ୍ପ ସମ୍ବନ୍ଧୀୟ ସ୍ପଷ୍ଟ ନୀତି ନିର୍ଦ୍ଧାରଣ, ଶିଳ୍ପକୁ ସୁହାଇବା ଭଳି ସୁବିଧା ଓ ଭିତ୍ତିଭୂମି ଯୋଗାଇଦେବା ଫଳରେ ରାଜ୍ୟରେ ଏବେ ବିଭିନ୍ନ ଶିଳ୍ପ ଯଥା ପେଟ୍ରୋ କେମିକାଲ୍ସ, ଫୁଡ୍ ପ୍ରୋସେସିଂ, ଆପାରଲ ଆଣ୍ଡ ଗାର୍ମେଣ୍ଟ ଆଦିରେ ପୁଞ୍ଜିନିବେଶ ନିମନ୍ତେ ଶିଳ୍ପୋଦ୍ୟୋଗୀଙ୍କୁ ଆକୃଷ୍ଟ କରିବାରେ ସଫଳତା ମିଳି ଆସୁଛି। ଏକ ନୁହେଁ, ଏକାଧିକ ତଥା ବିଭିନ୍ନ ଶିଳ୍ପ ସକାଶେ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ରାଜ୍ୟରେ ଜାରି ରହିଛି ଓ ତାହା ଆଗକୁ ରାଜ୍ୟର ଯୁବ ପୀଢ଼ି ପାଇଁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମେତ ବଲାଙ୍ଗୀର, ଝାରସୁଗୁଡା, ଖୋର୍ଦ୍ଧା, କଟକ, ଜଗତସିଂହପୁର ସୁନ୍ଦରଗଡ଼ ଆଦି ଜିଲ୍ଲାରେ ସମୁଦାୟ ୧୫ଟି ଶିଳ୍ପକୁ ମୁଖ୍ୟମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ବା ଶୁଭ ଦେଇଛନ୍ତି। ପ୍ରାୟ ୧୬୩୭ କୋଟି ପୁଞ୍ଜିନିବେଶ ହୋଇଥିବା ବେଳେ ୩୯୦୦ ଲୋକଙ୍କୁ ନିଯୁକ୍ତି ମିଳିବ।

ଉଲ୍ଲେଖଯୋଗ୍ୟ ଯେ ୧୯୯୫ – ୯୬ ମସିହାରୁ ଗୋପାଳପୁରରେ ଟାଟା ଷ୍ଟିଲ ଦ୍ବାରା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାର ଯୋଜନା ରହିଥିଲା। ହେଲେ ନାନା କାରଣରୁ ଜମି ଅଧିଗ୍ରହଣ ସତ୍ତ୍ବେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ସଫଳ ହୋଇପାରି ନଥିଲା। ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଏଠାରେ ଏସଇଜେଡ୍ ଏବଂ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରି ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିବାରେ ଲାଗିଛନ୍ତି। ୨୦୧୬- ୧୭ରେ ଫେରୋକ୍ରୋମ ପ୍ଲାଣ୍ଟ ଆଉ ଏବେ ଟାଟା ଟି ପ୍ୟାକେଜିଂ ୟୁନିଟ୍ ଏ ଦିଗରେ ଦୁଇଟି ସଫଳ ପ୍ରୟାସ ସାବ୍ୟସ୍ତ ହୋଇଛି। ଏକଦା ଗଞ୍ଜାମ ଜିଲ୍ଲା ଦାଦନ ଶ୍ରମିକଙ୍କ ଲାଗି ଏକ ନକରାତ୍ମକ ପରିଚୟ ପାଇଥିଲା। ହେଲେ ଧିରେ ଧିରେ ଏବେ କୃଷି ଓ ଅନ୍ୟାନ୍ୟ ଶିଳ୍ପ ସାଙ୍ଗକୁ ମନରେଗା କାର୍ଯ୍ୟକାରିତାରେ ଦେଶରେ ପ୍ରଥମ ଶ୍ରେଣୀ ତାଲିକାରେ ରହି ବିପୁଳ ମାତ୍ରାରେ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରୁଛି। ଆଉ ଏହା ପଛରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ଧୈର୍ଯ୍ୟ ଓ ନିଜ ରାଜ୍ୟବାସୀଙ୍କ ସମୃଦ୍ଧିର ଚିନ୍ତା ଓ ଚେତନା।

ଟାଟା କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ ଦ୍ବାରା ସ୍ଥାପିତ ଏହି ୟୁନିଟ୍ ଦେଢ଼ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରାଯାଇ ପାରିଛି। ଲକ୍ଷ୍ୟ ରହିଛି ଯେ ଏହାକୁ ଷ୍ଟେଟ୍ ଅଫ୍ ଦ ଆର୍ଟ ଟେକ୍ନୋଲୋଜି ସମ୍ବଳିତ ଦେଶର ସର୍ବବୃହତ୍ ଟି ପ୍ୟାକେଜିଂ କାରଖାନା ଭାବେ ବିକଶିତ କରାଯିବ। ବର୍ତ୍ତମାନ ଏହାର ୧୫ ମିଲିୟନ୍‌ କେଜି ଚା’ ପ୍ୟାକେଜିଂ କ୍ଷମତା ରହିଛି ଯାହାକୁ ୫୦ ମିଲିୟନ୍‌ କେକି ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏଠାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ସମେତ କେନ୍ଦ୍ର ଭାରତର ବିଭିନ୍ନ ରାଜ୍ୟକୁ ପ୍ୟାକେଟ୍ ଚା ’ ଯୋଗାଣ କରାଯିବ। ଭିଡିଓ କନଫରେନ୍ସି ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଶିଳ୍ପ ସମେତ ଶିକ୍ଷା, ସ୍ବାସ୍ଥ୍ୟ ଓ କୌଶଳ ବିକାଶ କ୍ଷେତ୍ରରେ ଟାଟା ଷ୍ଟିଲର ଅବଦାନକୁ ପ୍ରଶଂସା କରିବାକୁ ଭୁଲି ନଥିଲେ। ପ୍ରକାଶ ଥାଉକି, ଏହି ଇଣ୍ଡଷ୍ଟ୍ରିଆଲ ପାର୍କ ଜରିଆରେ ଟାଟା ଷ୍ଟିଲ ପ୍ରାୟ ୧୦ରୁ ୧୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ।

ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଯେତେବେଳେ ଶିଳ୍ପ ସ୍ଥାପନକୁ ପ୍ରବଳ ବିରୋଧ କରାଯାଉଛି ସେତେବେଳେ ନବୀନଙ୍କ ଶାସନରେ ଓଡ଼ିଶା ଶିଳ୍ପ ଅନୁକୂଳ ରାଜ୍ୟ ଭାବେ ନିଜସ୍ବ ସ୍ବତନ୍ତ୍ର ପରିଚୟ ହାସଲ କରିବାରେ ଲାଗିଛି। ସେଥିପାଇଁ ପ୍ରତି ବର୍ଷ ଏଠାକୁ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ ହୋଇ ଆସୁଛନ୍ତି। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରି ଯୋଗାଇଦେବାରେ କୌଣସି ଅବହେଳା କରୁନାହାନ୍ତି। ଗୋଟିଏ ପଟେ କୃଷି କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହେଉଛି ତ ଆରପଟେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ମଧ୍ୟ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇବାରେ ଲାଗିଛି।

ଲେଖକ ତଥା ଇତିହାସ ଗବେଷକ

Comments are closed.