ପେଗାସସ୍ ଗୁଇନ୍ଦାଗିରିକୁ ଦେଶଦ୍ରୋହ କହିଲେ ରାହୁଲ, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମୋଦିଙ୍କ ବିରୋଧରେ ତଦନ୍ତ ଦାବି କଲେ

ନୂଆଦିଲ୍ଲୀ: ଇସ୍ରାଏଲର ପେଗାସସ୍ ସ୍ପାଏୱେର ମାଧ୍ୟମରେ ହୋଇଥିବା ଗୁଇନ୍ଦାଗିରି ନେଇ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପେଗାସସ୍ ଗୁଇନ୍ଦାଗିରିକୁ ରାହୁଲ ଦେଶଦ୍ରୋହ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜ ଦେଶ ଓ ସାମ୍ବିଧାନିକ ପ୍ରତିଷ୍ଠାନ ଉପରେ ପେଗାସସ୍ ସ୍ପାଏୱେର ବ୍ୟବହାର କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟରେ ଏଭଳି କରାଯାଇଛି । କର୍ଣ୍ଣାଟକରେ ମଧ୍ୟ ସେମାନେ ଏହି ଗୁଇନ୍ଦା ଯନ୍ତ୍ରର ବ୍ୟବହାର କରିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ଉପରେ ବି ଗୁଇନ୍ଦାଗିରି କରିବାକୁ ପଛେଇ ନାହାନ୍ତି । ସେମାନେ ଏହି ସ୍ପାଏୱେରକୁ ଦେଶର ସବୁ ପ୍ରତିଷ୍ଠାନ ଉପରେ ବ୍ୟବହାର କରିଛନ୍ତି । ଏହା ଦେଶଦ୍ରୋହ ଛଡ଼ା ଆଉ କିଛି ନୁହେଁ ବୋଲି କହିଛନ୍ତି ରାହୁଲ ।

ରାହୁଲ କହିଛନ୍ତି ଯେ, ମୋ ଫୋନ୍‌ର ବି ଟ୍ୟାପିଂ କରାଯାଇଛି । କିନ୍ତୁ ମୋର ଗୋପନୀୟତା ନେଇ ମୁଁ ଚିନ୍ତିତ ନୁହେଁ । ମୁଁ ଜଣେ ବିରୋଧୀ ଦଳ ନେତା । ଲୋକଙ୍କ ସ୍ୱର ଉଠାଇବା ମୋର ଦାୟିତ୍ୱ । ପେଗାସସ୍ ଗୁଇନ୍ଦାଗିରି ଲୋକଙ୍କ ଗୋପନୀୟତା ଉପରେ ଆକ୍ରମଣ । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଉଚିତ । ନରେନ୍ଦ୍ର ମୋଦିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଉଚିତ ବୋଲି ରାହୁଲ କହିଛନ୍ତି ।

Comments are closed.