ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ବିଶିଷ୍ଟ ଉଦ୍ୟୋଗପତି ଡଃ ଗଣେଶ ନଟରାଜନ

ଖୁବଶୀଘ୍ର ଆରମ୍ଭ ହେବ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ନାମଲେଖା

ଭୁବନେଶ୍ୱର: ଆଜି ବିଶିଷ୍ଟ ଉଦ୍ୟୋଗପତି ତଥା ୫ଏଫ୍ ୱଳ୍ଡର ଅଧକ୍ଷ ଡଃ ଗଣେଶ ନଟରାଜନଙ୍କ ସମେତ ଏକ ପ୍ରତିନିଧି ଦଳ ଭୁବନେଶ୍ଵର ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ( ବିଶ୍ଵ ଦକ୍ଷତା କେନ୍ଦ୍ର ) ପରିଦର୍ଶନ କରିଥିଲେ । ଦକ୍ଷତାର କେନ୍ଦ୍ରବିନ୍ଦୁ ହେବାକୁ ଥିବା ୱାର୍ଲ୍ଡ ସ୍କିଲ ସେଣ୍ଟରର ଉନ୍ନତ ବୈଷୟିକ ଭିତ୍ତିଭୂମି ଦେଖି ସେ ଅବିଭୂତ ହେବା ସହ ଆଗାମୀ ଦିନରେ ସହଭାଗିତା କରିବାକୁ ଆଶା ବ୍ୟକ୍ତ କରିଥିଲେ । ସେ ନିଜ ଜୀବନ ଯାତ୍ରା ବିଷୟରେ ପରିପ୍ରକାଶ କରି କହିଥିଲେ ଯେ କ୍ଷୁଦ୍ର ପ୍ରୟାସରୁ ହିଁ ବୃହତର ସମ୍ଭାବନା ସୃଷ୍ଟି ହୋଇଥାଏ ଏବଂ ଏହା ଆଗକୁ ବଢିବାରେ ସହାୟକ ହୋଇଥାଏ ।

ଏହି ଅବସରରେ ସେ ଏବଂ ତାଙ୍କ ଦଳ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଦକ୍ଷତା ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଦୀର୍ଘ ମିଆଦି ଓ କ୍ଷୁଦ୍ର ମିଆଦି ଯୋଜନା ବିଷୟରେ ପଚାରି ବୁଝିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ବିଶ୍ଵ ଦକ୍ଷତା କେନ୍ଦ୍ରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା , ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ ଏବଂ ଖୁବ୍ ଶୀଘ୍ର ଚଳିତ ବର୍ଷ ନିମନ୍ତେ ବିଶ୍ଵ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏହି ଅବସରରେ ସୂଚନା ଦେଇଥିଲେ ।

ନଟରାଜନ ଏବଂ ସହଯୋଗୀମାନେ ବିଲ୍ଡିଂ ମ୍ୟାନେଜମେଣ୍ଟ ସରଭିସେସ୍ , କମରସିଆଲ ରେଫ୍ରିଜିରେସନ , କମରସିଆଲ ଏଆର କଣ୍ଡିସନିଂ ଲ୍ୟାବ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୁଣେ ସିଟି କନେକ୍ଟ ସିଇଓ ରୁଚି ମାଥୁର ଏବଂ ଲାଇଟହାଉସ୍ କମ୍ୟୁନିଟି ଫାଉଣ୍ଡେସନ୍ ସଂସ୍ଥା ତରଫରୁ ଆଶିକ୍ ରିଜଭି ଉପସ୍ଥିତ ଥିଲେ । ଶେଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.