ମହାରାଷ୍ଟ୍ରରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି

ମୁମ୍ବାଇ: ଗତ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ ବର୍ଷା ଜନିତ ଘଟଣା ଓ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଣେ ଡିଭିଜନ ଅଧୀନରେ ଥିବା ୮୪,୪୫୨ ଜଣଙ୍କୁ ଶୁକ୍ରବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି।

ପଶ୍ଚିମ ମହାରାଷ୍ଟ୍ରର ପୁଣେ ବିଭାଗରେ ପ୍ରବଳ ବର୍ଷା ସହ ସବୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ୮୪,୪୫୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ କୋହ୍ଲାପୁର ଜିଲ୍ଲାରେ ହିଁ ୪୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।କୋହ୍ଲାପୁର ସହର ନିକଟରେ ଥିବା ପଞ୍ଚଗଙ୍ଗା ନଦୀ ୨୦୧୯ର ବନ୍ୟା ସ୍ତରରେ ପ୍ରବାହିତ ହେଉଛି ବୋଲି ଅଧିକାରୀମାନେ କହିଛନ୍ତି।

ପୁଣେ ଏବଂ କୋହ୍ଲାପୁର ସହ ସାଙ୍ଗଲି ଏବଂ ସତାରା ଜିଲ୍ଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସତାରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉପକୂଳବର୍ତ୍ତୀ ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ କାରଣରୁ ୩୮ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.