ଅଲିମ୍ପିକ୍ସ ଫ୍ଲାସବ୍ୟାକ୍ ( ୧୯୮୪ -୨୦୦୦ )

ବିଜନ କୁମାର ମହାପାତ୍ର

ବିଂଶ ଶତାବ୍ଦୀର ଅଶୀ ଦଶକ ବେଳକୁ ଅଲିମ୍ପିକ କ୍ରୀଡାର କଳେବର ଅଧିକ ବୃଦ୍ଧି ପାଇଥିଲା । ପରିବର୍ତ୍ତିତ ପରିସ୍ଥିତିରେ ଅଲିମ୍ପିକ କ୍ରୀଡାର ବ୍ୟବସାୟକରଣ ହେଲା । ଏଥିସହ ସହ ଅଲିମ୍ପିକ ଆୟୋଜନ ବେଶ୍ ବ୍ୟୟବହୁଳ ହେବାରେ ଲାଗିଲା । ଆଜିର ଅଲିମ୍ପିକ୍ସ ବିଶେଷରେ ୧୯୮୪ ରୁ ୨୦୧୬ ଅଲିମ୍ପିକ କ୍ରୀଡା ଉପରେ ନଜର ପକାଇବା ।

୧୯୮୪ – ଲସ ଆଞ୍ଜେଲ୍‌ସ

ଶୀତଳ ଯୁଦ୍ଧ ଚରମ ସୀମାରେ ପହଂଚିଥିଲା ବେଳେ ଲସ ଆଞ୍ଜେଲସରେ ଆୟୋଜିତ ହୋଇଥିଲା ୧୯୮୪ ଅଲିମ୍ପିକ୍ସ । ଏଥର ସୋଭିଏତ ସଂଘ ଓ ଏହାର ସମର୍ଥକ ଦେଶମାନେ ଏହି ଅଲିମ୍ପିକ୍ସ ବର୍ଜନ କରିଥିଲେ । ୧୯୫୨ ମସିହା ପରେ ଚୀନ ପ୍ରଥମ ଥର ପାଇଁ ଅଲିମ୍ପିକ୍ସକୁ ଫେରିଥିଲା । ୧୪୦ଟି ଦେଶରୁ ୬ ହଜାର ୮୦୦ ଆଥଲେଟ ଏହି ଅଲିମ୍ପିକ କ୍ରୀଡାରେ ଭାଗ ନେଇଥିଲେ । ମହିଳାଙ୍କ ପାଇଁ ସାଇକେଲ ଚାଳନା, ରିଦିମିକ ଜିମ୍ନାଷ୍ଟିକ୍ସ ଓ ମାରାଥନ ଭଳି ଇଭେଂଟ ପ୍ରଥମ ଥର ପାଇଁ ସାମିଲ କରାଗଲା । ପ୍ରଥମ ଥର ପାଇଁ ଅଲିମ୍ପିକର ବ୍ୟବସାୟକରଣ ହୋଇଥିଲା । ଆମେରିକା ସ୍ଥିତ ବହୁଦେଶୀୟ କଂପାନିଗୁଡିକର ସାମଗ୍ରୀକୁ ଅଲିମ୍ପିକ ଚିହ୍ନ ଓ ପ୍ରତୀକ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

୧୯୩୨ ମସିହା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ ଆର୍ଥିକ ଦୃଷ୍ଟିରୁ ଲାଭ କରିଥିଲା । କମ୍ୟୁନିଷ୍ଟ ଦେଶଗୁଡିକର ବର୍ଜନ ଓ କ୍ରୀଡାରେ କର୍ପୋରେଟ କ୍ଷେତ୍ରର ବୃଦ୍ଧି ପାଉଥିବା ସଂପୃକ୍ତି ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲେ ମଧ୍ୟ ଲସଆଞ୍ଜେଲ୍ସ ଆଗାମୀ ଅଲିମ୍ପିକ ଗୁଡିକ ପାଇଁ ଆର୍ଥିକ ଲାଭର ବାଟ ଦେଖାଇଥିଲା । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ଷ୍ଟାର ଥିଲେ କିମ୍ବଦନ୍ତୀ ଆଥଲେଟ୍ ଆମେରିକାର କାର୍ଲ ଲୁଇସ । ଜିତିଥିଲେ ଚାରିଟି ସ୍ୱର୍ଣ୍ଣ ପଦକ ।

୧୯୮୮ –ସିଓଲ ଅଲିମ୍ପିକ୍ସ

ଏସିଆ ମହାଦେଶରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିଲା ବିଶ୍ୱକ୍ରୀଡାର ମହାକୁମ୍ଭ । ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଆୟୋଜିତ କ୍ରୀଡାକୁ ମଧ୍ୟ କିିଛି ଦେଶ ବର୍ଜନ କରିଥିଲେ । ଉତ୍ତର କୋରିଆ ସହ ଆୟୋଜକ ହେବାକୁ ଚାହିଁଥିଲା । କିନ୍ତୁ ଆଇଓସି ମନା କଲା ପରେ ଉତ୍ତର କୋରିଆ ସିଓଲ ଅଲିମ୍ପିକ୍ସ ବର୍ଜନ କରିଥିଲା । କ୍ୟୁବା ଓ ଇଥିଓପିଆ ମଧ୍ୟ ଭାଗ ନେଇ ନ ଥିଲେ । କିନ୍ତୁ ୧୯୮୪ ଅପେକ୍ଷା ଏହି ଅଲିମ୍ପିକ୍ସରେ ଅଧିକ ଦେଶ ଭାଗ ନେଇଥିଲେ । ୧୫୯ଟି ଦେଶରୁ ୮ ହଜାର ୫ ଶହ ପ୍ରତିଯୋଗୀ ସିଓଲରେ ଅଂଶଗ୍ରହଣ କରିଥିଲେ । ଏହି ଅଲିମ୍ପିକ୍ସ ପୂର୍ବରୁ ଆଇଓସି ‘କେବଳ ଆମାଚର’ ବା ‘ଅଣପେଷାଦାର ପ୍ରତିଯୋଗୀ’ ନିୟମ ବଦଳାଇ ଦେଇଥିଲା । ୧୯୨୪ ପରେ ପ୍ରଥମ ଥର ପାଇଁ ଟେନିସର ପ୍ରତ୍ୟାବର୍ତ୍ତନ ହୋଇଥିଲା ।

ପେଷାଦାର ଟେନିସ ଖେଳାଳିମାନେ ଭାଗ ନେଇଥିଲେ । ତୀରନ୍ଦାଜୀ ବି ଫେରିଥିଲା । ପୁରୁଷ ୧୦୦ ମିଟର ଦୌଡରେ ଚାମ୍ପିଅନ ହୋଇଥିବା କାନାଡାର ବେନ୍ ଜନସନ ନିଶା ଔଷଧ ସେବନ କରିଥିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । କାର୍ଲ ଲୁଇସଙ୍କୁ ଦିଆଯାଇଥିଲା ସ୍ୱର୍ଣ୍ଣ ପଦକ । ଶକ୍ତିବର୍ଦ୍ଧକ ଔଷଧ ନେଇଥିବାରୁ ମୋଟ ୧୦ ଆଥଲେଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସର୍ଗେଇ ବୁବାକ ପୋଲଭଲ୍ଟରେ ଜିତିଥିଲେ ନିଜର ପ୍ରଥମ ଅଲିମ୍ପିକ ସ୍ୱର୍ଣ୍ଣ । ମହିଳା ସନ୍ତରଣରେ ଜର୍ମାନୀର କ୍ରିଷ୍ଟିନ ଅଟ୍ଟୋ ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୧୯୯୨- ବାର୍ସିଲୋନା ଅଲିମ୍ପିକ୍ସ

ବାର୍ସିଲୋନା ଅଲିମ୍ପିକ୍ସକୁ ସବୁଠାରୁ ସଫଳ ଅଲିମ୍ପିକ୍ସ ମଧ୍ୟରେ ବିବେଚନା କରାଯାଏ । ୧୬୯ଟି ଦେଶରୁ ୯ ହଜାର ୩୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ତିନି ଦଶକ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଦେଶ ଅଲିମ୍ପିକ୍ସ ବର୍ଜନ କରି ନ ଥିଲେ । ପୂର୍ବ ୟୁରୋପରେ ନାଟକୀୟ ରାଜନୈତିକ ପରିବର୍ତ୍ତନ ଦେଖାଦେଇଥିଲା । ସୋଭିଏତ ସଂଘର ପତନ ହୋଇସାରିଥିଲା । ଆଉ ଏହାର ପ୍ରଭାବ ସ୍ୱରୂପ, ଲାଟଭିଆ, ଲିଥୁଆନିଆ, ଏସ୍ତୋନିଆ, ବୋସନିଆ ହର୍ଜିଗୋଭିନା,କ୍ରୋଏସିଆ ଓ ସ୍ଲୋଭେନିଆ ପରି ନୂଆ ଦେଶ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଏକତ୍ରୀକରଣ ପରେ ଗୋଟିଏ ଦେଶ ଭାବେ ଜର୍ମାନୀ ବାର୍ସିଲୋନାରେ ଭାଗ ନେଇଥିଲା । ସୋଭିଏତ ସଂଘର ପତନ ହୋଇଥିଲେ ମଧ୍ୟ ଏକ ମିଳିତ ଟିମ୍ ଭାବେ ଅଲଗା ହୋଇଥିବା ଦେଶଗୁଡିକ ଏଥିରେ ଭାଗ ନେଇଥିଲେ । ବର୍ଣ୍ଣବୈଷମ୍ୟ ନୀତି ପରିହାର କରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସକୁ ଫେରିଥିଲା ।

ବ୍ୟାଡମିଂଟନ,ବେସବଲ୍ ଓ ମହିଳା ଜୁଡୋ ଥିଲା ବାର୍ସିିଲୋନା ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା । ଏହି କ୍ରୀଡାରେ ଅଧିକ ସଂଖ୍ୟାରେ ପେଷାଦାର ଆଥଲେଟ ଅଂଶଗ୍ରହଣ କରିଥିଲେ ।

ବେଲାଋଷର ଜିମ୍ନାଷ୍ଟ ଭିଟାଲି ସେରବୋ ଥିଲେ ବାର୍ସିଲୋନା ଅଲିମ୍ପିକ୍ସର ଷ୍ଟାର୍ । ୭ଟି ବ୍ୟକ୍ତିଗତ ଇଭେଂଟ ମଧ୍ୟରୁ ୫ଟିରେ ସେ ଜିତିଥିଲେ ସ୍ୱର୍ଣ୍ଣ । ବକ୍ସିଂରେ କ୍ୟୁବା ପ୍ରତିଯୋଗୀମାନେ ୧୨ଟିରୁ ୭ଟି ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୧୯୯୬ – ଆଟଲାଂଟା ଅଲିମ୍ପିକ୍ସ

ଆମେରିକୀୟ ସହର ଆଟଲାଂଟା ଆୟୋଜନ କରିଥିଲା ୧୯୯୬ ମସିହା ଅଲିମ୍ପିକ୍ସ । ଏହାଥିଲା ଏକ ବର୍ଣ୍ଣାଢ୍ୟ ଅଲିମ୍ପିକ୍ସ । ଉଦଘାଟନୀ ସମାରୋହ ଦୀର୍ଘ ୫ ଘଣ୍ଟା ଚାଲିଥିଲା । ପ୍ରଥମ ଅଲିମ୍ପିକ ଆୟୋଜନର ଶହେବର୍ଷ ପୂର୍ତ୍ତି ଆଟଲାଣ୍ଟା କ୍ରୀଡାକୁ କରିଥିଲା ଆହୁରି ସ୍ୱତନ୍ତ୍ର । ବାତାବରଣ ବେଶ୍ ଉଲ୍ଲସିତ ଥିଲା । ଆମୋଦପ୍ରମୋଦ ଉଦ୍ୟାନ, ଅଲିମ୍ପିକ୍ସ ମେଳା, ସଂଗୀତ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା । ଆଟଲାଣ୍ଟା ଅଲିମ୍ପିକ୍ସ ପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୧ ଦଶମିକ ୭ ବିଲିଅନ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ ପାଇଁ କୌଣସି ସରକାରୀ ଆର୍ଥିକ ସହାୟତା ମିଳି ନ ଥିଲା । ଏହା ପରିବର୍ତ୍ତେ କୋକାକୋଲା ପରି ବହୁଦେଶୀୟ ମୃଦୁପାନୀୟ କଂପାନିର ସ୍ପନସରସିପ୍ ଓ ଟେଲିଭିଜନ ପ୍ରସାରଣ ଅଧିକାରରୁ ମିଳିଥିବା ଅର୍ଥ ଏଥିରେ ବିନିଯୋଗ ହୋଇଥିଲା । କଡା ସୁୁରକ୍ଷା ସତ୍ତ୍ୱେ ସେଂଟେନିଆଲ୍ ଅଲିମ୍ପିକ ପାର୍କରେ ଏକ ପାଇପ ବୋମା ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଅଲିମ୍ପିକ୍ସରେ ଭାଗ ନେଇଥିଲେ ୧୯୭ଟି ଦେଶରୁ ୧୦ ହଜାରରୁ ଅଧିକ ପ୍ରତିଯୋଗୀ । ମହିଳା ଫୁଟବଲ, ବିଚ ଭଲିବଲ୍‌, ଲାଇୱେଇଟ୍ ରୋଇଂ, ମହିଳା ସଫ୍ଟବଲ ଓ ମାଉଟେଂନ୍ ବାଇକିଂ ପ୍ରଥମ ଥର ପାଇଁ ଏହି ଅଲିମ୍ପିକ୍ସରେ ସ୍ଥାନ ପାଇଥିଲା । ଧାବକ ଓ ଲଙ୍ଗଜମ୍ପ ତାରକା କାର୍ଲ ଲୁଇସ, ଚୀନର ଡାଇଭର ଫୁ ମିଙ୍ଗସିଆ, ଆମେରିକାର ୨୦୦ ଓ ୪୦୦ ମିଟର ଧାବକ ମାଇକେଲ ଜନସନ୍ ଓ ଫ୍ରାନସର ୮୦୦ ଓ ୧୫୦୦ ମିଟର ଧାବିକା ଥିଲେ ଆଟଲାଂଟାର ଷ୍ଟାର ପରଫର୍ମର । ବହୁ ବର୍ଷ ପରେ ଭାରତ ହାସଲ କରିଥିଲା ଏକ ବ୍ୟକ୍ତିଗତ ପଦକ । ଲିଆଣ୍ଡର ପେସ୍ ଟେନିସରେ ଭାରତ ପାଇଁ ଜିତିଥିଲେ ଐତିହାସିକ ବ୍ରୋଞ୍ଜ ପଦକ ।

୨୦୦୦ – ସିଡନୀ ଅଲିମ୍ପିକ୍ସ

୧୯୫୬ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ପୁଣି ଆୟୋଜିତ କରିଥିଲା ଅଲିମ୍ପିକ୍ସ । ନିର୍ଦ୍ଧାରିତ ବଜେଟ୍‌ଠାରୁ ଅଧିକ ଖର୍ଚ୍ଚ ହୋଇଥିଲା । ଟିକେଟ ସ୍କାଣ୍ଡାଲ ବି ସାମନାକୁ ଆସିଥିଲା । ଏହାସତ୍ତ୍ୱେ ସିଡନୀ ଅଲିମ୍ପିକ୍ସ ବେଶ୍ ସଫଳ ଥିଲା ।
ଉଦଘାଟନୀ ସମାରୋହରେ ଆୟୋଜକ ଦେଶର ଇତିହାସ, ସଂସ୍କୃତି ଓ ଦେଶୀୟ ଲୋକଙ୍କ ଅବଦାନକୁ ସ୍ମରଣ କରାଯାଇଛି ।

ଆବୋଅରିଜିନ ବା ଦେଶୀୟ ଆଥଲେଟ କ୍ୟାଥି ଫ୍ରିମ୍ୟାନ ଅଲିମ୍ପିକ ମଶାଲ ପ୍ରଜ୍ୱଳନ କରିବା ଥିଲା ସମଗ୍ର ଅଷ୍ଟ୍ରେଲିଆ ପାଇଁ ଐତିହାସିକ ଘଟଣା । ପରେ କ୍ୟାଥି ଫ୍ରିମ୍ୟାନ ମହିଳା ୪ ଶହ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଥିଲେ । ସମାନ ଅଧିକାର ପାଇଁ ଏବେ ବି ସଂଘର୍ଷ କରୁଥିବା ଆବୋଅରିଜିନ ଲୋକଙ୍କ ପାଇଁ କ୍ୟାଥିଙ୍କ ସ୍ୱର୍ଣ୍ଣ ପଦକ ଥିଲା ଏକ ବଡ ସମ୍ମାନ ।

ସିଡନୀ ଅଲିମ୍ପିକ୍ସରେ ୧୯୯ଟି ଦେଶରୁ ୧୧ ହଜାର ଆଥଲେଟ ଭାଗ ନେଇଥିଲେ । ୩ ଶହ ଇଭେଂଟରେ ହୋଇଥିଲା ପ୍ରତିଯୋଗିତା । ଅଷ୍ଟ୍ରେଲିଆର ସନ୍ତରଣକାରୀ ଇଆନ ଥୋର୍ପ ୩ଟି ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲେ । ଆମେରିକାର ଧାବିକା ମାରିଅନ ଜୋନସ ତିନିଟି ସ୍ୱର୍ଣ୍ଣ ସହ ମୋଟ ୫ଟି ପଦକ ଜିତିଥିଲେ ।

Comments are closed.