ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ଶୁଭାରମ୍ଭ କଲେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଜି ଟିଟିଲାଗଡ଼ ଉପଖଣ୍ଡରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି ।

ଟିଟିଲାଗଡ଼ଠାରେ ଆଧୁନିକ ଶ୍ମଶାନ “ମୁକ୍ତିଧାମ” , ଡିଏଭି ମହାବିଦ୍ୟାଳୟଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବସର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ‘ ମୁକ୍ତିଧାମ ’ ପରିସରରେ ସେ ବୃକ୍ଷରୋପଣ କରି ଏହାର ଯତ୍ନ ପାଇଁ ସ୍ଥାନୀୟ ଲୋକ ଦାୟିତ୍ଵ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଟିଟିଲାଗଡ଼ ସହରରେ ଫ୍ଲାଏଓଭର ନେଇ ସ୍ଥାନୀୟ ଲୋକେ ଯିବାଆସିବାରେ ସମସ୍ୟା ରହିଥିବା ଯୋଗୁଁ ସେଠାରେ ଏକ ଅଣ୍ଡରପାସ୍ ନିମନ୍ତେ ସେ ପ୍ରସ୍ତାବ ରହିଥିବା ସାମ୍ବାଦିକମାନଙ୍କୁ କହିଥିଲେ । ଏଥ ସହିତ ସହରର ଆବଶ୍ୟକତାକୁ ନଜରରେ ରଖି ଆଗାମୀ ଦିନରେ ଏକ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ଓ ଅଡିଟୋରିୟମ୍ ନିର୍ମାଣର ପରିକଳ୍ପନା କରାଯାଇଥିବା ଏବଂ ସ୍ଥାନୀୟ ବାଳକ ଉଚ୍ଚବିଦ୍ୟାଳୟର ଉନ୍ନୟନ ନିମନ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୯୦ ଲକ୍ଷ ଟଙ୍କା ମଂଜୁର କରିଥିବା ସେ ପ୍ରକାଶ କରିଥିଲେ ।

ସେ ସଇଁତଳା ବ୍ଲକ୍ ଅନ୍ତର୍ଗତ କରମତାଲାଠାରେ ଏକ ୩୩ / ୧୧ କେଭିର ଗ୍ରୀଡ଼ ସବ୍‌ଷ୍ଟେସନ୍ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରୀଡ଼ ସବ୍‌ଷ୍ଟେସନ୍ ସ୍ଥାପନ ଯୋଗୁଁ ଦୀର୍ଘଦିନ ଧରି ରହିଆସୁଥିବା ଲୋ – ଭୋଲଟେଜ୍‌ ସମସ୍ୟା ଦୂର ହେବା ସହ ଏହି ଅଞ୍ଚଳର ୭ ହଜାର ଉପଭୋକ୍ତା ଉନ୍ନତ ବିଦ୍ୟୁତ ସେବା ପାଇପାରିବେ ଏବଂ ଏହା କରମତାଲା ସମେତ କୁମ୍ଭାରୀ , ତଲବାହାଲ , ଗଣ୍ଡା ପତ୍ରାପାଲି , କୁଇକେଡ଼ା ଓ ଧରପଗଡ଼ ପରି ୬ଟି ଗ୍ରାମପଞ୍ଚାୟତକୁ ବିଦ୍ୟୁତ ଯୋଗାଇପାରିବ । ଏହି ଗ୍ରୀଡ଼ ଯୋଗୁଁ ନୂତନ ଶିଳ୍ପାୟନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇଛି । ଏଥିରୁ ପାଟମରା , ତଲବାହାଲ ଓ ଫପସି ପରି ତିନୋଟି ୧୧ କେଭି ଫିଡରକୁ ଅତିରିକ୍ତ ଭାବେ ବିଦ୍ୟୁତଯୋଗାଣ ସମ୍ଭବ ହେବ । ଏହିପରି ଟ୍ରିକାପଡ଼ାଠାରେ ନିର୍ମାଣାଧୀନ ଫିଡର ଗ୍ରୀଡ଼ କାର୍ଯ୍ୟାରମ୍ଭ କଲେ ଅତିରିକ୍ତ ୩ ହଜାର ଉପଭୋକ୍ତା ବିଦ୍ୟୁତ ସେବା ପାଇପାରିବେ ଏବଂ ଉନ୍ନତମାନର ବିଦ୍ୟୁତ ଯୋଗାଇ ଦିଆଯାଇପାରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପରେ ତ୍ରିପାଠୀ ବଲାଙ୍ଗୀରଠାରେ ନିର୍ମାଣାଧୀନ ଥିବା ନୂତନ ବସ୍ ଟର୍ମିନାଲ ବୁଲି ଦେଖିଥିଲେ ।

Comments are closed.