ବିଚାରପତିଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣା: ଝାଡ଼ଖଣ୍ଡକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତିଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାରେ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଦେଶର ବିଭିନ୍ନ ସ୍ଥାନରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଖବରରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ଘଟଣାମାନ ହେଉଥିବା ରାଜ୍ୟ ଗୁଡିକରୁ ମଧ୍ୟ ରିପୋର୍ଟ ତଲବ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଗତ ବୁଧବାର ଧାନବାଦ ଜିଲ୍ଲା ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା କରାଯାଇଥିଲା । ଆନନ୍ଦ ପ୍ରାତଃ ଭ୍ରମଣରେ ବାହାରିଥିବା ବେଳେ ଏକ ନିଛାଟିଆ ରାସ୍ତାରେ ତାଙ୍କୁ ଏକ ଅଟୋ ଧକ୍କା ଦେଇ ଚାଲିଯାଇଥିଲା । ବିଚାରପତି ରାସ୍ତାରେ ଲହୁଲୁହାଣ ହୋଇ ପଡ଼ିରହିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଚାରପତିଙ୍କୁ ଅଟୋ ମଡ଼ାଇ ହତ୍ୟା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଭାଇରାଲ ହୋଇଥିବା ଭିଡ଼ିଓରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ପଷ୍ଟ ହେଉଛି । ପୋଲିସ୍ ଏହି ଘଟଣାରେ ସମ୍ପୃକ୍ତ ଅଟୋ ଡ୍ରାଇଭରଙ୍କ ସହ ଦୁଇ ଜଣକୁ ଅଟକ ରଖିଛି । ଝାଡ଼ଖଣ୍ଡ ହାଇକୋର୍ଟ ମଧ୍ୟ ଏହି ଘଟଣାରେ ନଜ ଆଡୁ ସଜ୍ଞାନ ନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ।

Comments are closed.