କହିଲେ ପ୍ରଧାନ ବିଚାରପତି, ଆସନ୍ତା ସପ୍ତାହରୁ ପେଗାସସ୍ ମାମଲାର ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରୁ ପେଗାସସ୍ ମାମଲା ନେଇ ଦାୟର ହୋଇଥିବା ଏକାଧିକ ପିଟିସନର ଶୁଣାଣି କରିବା ସମ୍ଭାବନା ରହିିଛି । ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଆଜି ଏହା କହିଛନ୍ତି । ଇସ୍ରାଏଲ ସଂସ୍ଥା ଏନ୍‌ଏସ୍‌ଓ ଦ୍ୱାରା ବିକଶିତ ଅତ୍ୟାଧୁନିକ ଗୁଇନ୍ଦା ସଫ୍ଟୱେର ପେଗାସସ୍ ଦ୍ୱାରା ଭାରତରେ ବହୁ ସାମ୍ବାଦିକ, ସାମାଜିକ କର୍ମୀ, ନେତା, ମନ୍ତ୍ରୀ, ବିଚାରପତି, ସେନା ଅଧିକାରୀଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ଅଭିଯୋଗ ହୋଇଛି ।

ପେଗାସସ୍ ଗୁଇନ୍ଦାଗିରି ମାମଲାର ତଦନ୍ତ ପାଇଁ ବରିଷ୍ଠ ସାମ୍ବାଦିକ ଏନ୍‌.ରାମ ଏବଂ ଶଶି କୁମାର ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଜଣେ ପଦାସୀନ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କତ୍ତତତ୍ତ୍ୱାବଧାନରେ ଏହାର ଏସ୍‌ଆଇଟି ତଦନ୍ତ କରିବା ପାଇଁ ଉଭୟ ନିବେଦନ କରିଥିଲେ । ପେଗାସସ୍ ଗୁଇନ୍ଦାଗିରି ନାଗରିକଙ୍କ ସ୍ୱାଧୀନତା ଓ ଗୋପନୀୟତା ପ୍ରତି ବିପଦ ବୋଲି ସେମାନେ କହିଥିଲେ । ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ତିନିଟି ପିଟିସନ୍ ଦାୟର କରାଯାଇଛି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ, ପେଗାସସ୍ ମାମଲାର ଶୁଣାଣି ଆସନ୍ତା ସପ୍ତାହରୁ ହୋଇପାରେ । ତେବେ ଏହା ଅଦାଲତଙ୍କ କାର୍ଯ୍ୟଭାର ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି ।

ପେଗାସସ୍ କେଳେଙ୍କେରୀ ନେଇ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ଏନେଇ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ମୌସୁମୀ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ବିତିଥିଲେ ମଧ୍ୟ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠପ୍ ହୋଇପଡିଛି । ବିରୋଧୀ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରୁଥିଲେ ମଧ୍ୟ ସରକାର ଏନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ।

Comments are closed.