ଟୋକିଓ ଅଲିମ୍ପିକ୍ସ: ଡିସକସ୍ ଫାଇନାଲରେ କମଲପ୍ରୀତ କୌର

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ଡିସକସ୍ ଥ୍ରୋ ଇଭେଣ୍ଟରେ ଭାରତର କମଲପ୍ରୀତ କୌର ପଦକ ଆଶା ଦେଇଛନ୍ତି । କମଲପ୍ରୀତ ଚମତ୍କାର ପ୍ରଦର୍ଶନ ସହ ଫାଇନାଲରେ ସ୍ଥାନ ପାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ଦ୍ୱିତୀୟ ସ୍ଥାନ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
କ୍ୱାଲିଫିକେସନ୍ ‘ବି’ରେ ଭାଗ ନେଉଥିବା କମଲପ୍ରୀତ ଯୋଗ୍ୟତା ପର୍ଯ୍ୟାୟରେ ନିଜ ତୃତୀୟ ପ୍ରୟାସରେ ୬୪ ମିଟର ଦୂରତା ଫିଙ୍ଗିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ଆମେରିକାର ଭାଲାରି ଅଲମାନ (୬୬.୪୨ ମିଟର)ଙ୍କ ସହ କମଲପ୍ରୀତ ଦ୍ୱିତୀୟ ପ୍ରତିଯୋଗୀ ଭାବେ ଫାଇନାଲ ପାଇଁ ସ୍ୱତଃ ଯୋଗ୍ୟତା ହାସଲ କରିଛନ୍ତି ।

କୌର ପ୍ରଥମ ପ୍ରୟାସରେ ୬୦.୨୯ ମିଟର ଫିଙ୍ଗିଥିବା ବେଳେ ଦ୍ୱିତୀୟ ଉଦ୍ୟମରେ ତାଙ୍କର ପ୍ରଦର୍ଶନ ଆହୁରି ଉନ୍ନତ ଥିଲା । ଦ୍ୱିତୀୟ ପ୍ରୟାସରେ ୬୩.୯୭ ମିଟର ଏବଂ ତୃତୀୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ସହ ୬୪ ମିଟର ଦୂରତା ଫିଙ୍ଗି ଫାଇନାଲରେ ସ୍ଥାନ ନିଶ୍ଚିତ କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ପ୍ରତ୍ୟକ ପ୍ରତିଯୋଗୀଙ୍କୁ ତିନୋଟି ସୁଯୋଗ ଦିଆଯାଏ ।

କମଲପ୍ରୀତ ଯୋଗ୍ୟତା ପର୍ଯ୍ୟାୟରେ ରିଓ ଅଲିମ୍ପିକ୍ସ ଚାମ୍ପିୟନ କ୍ରୋଏସିଆର ସାଣ୍ଡ୍ରା ପେର୍କୋଭିଚ (୬୩.୭୫ ମିଟର)ଓ ବିଶ୍ୱ ଚାମ୍ପିୟନ କ୍ୟୁବାର ୟେମ୍ ପେରେଜ (୬୩.୧୮ ମିଟର)ଙ୍କୁ ବି ପଛରେ ପକାଇଥିଲେ । ଡିସକସ୍ ଇଭେଣ୍ଟର ଫାଇନାଲ ଅଗଷ୍ଟ ୨ରେ ଅନୁଷ୍ଠିତ ହେବ ।

ତେବେ ଭାରତର ଭେଟେରାନ ଆଥଲେଟ୍ ସୀମା ପୁନିଆ ଯୋଗ୍ୟାତ ପର୍ଯ୍ୟାୟରୁ ହିଁ ବାଦ୍ ପଡିଛନ୍ତି । କ୍ୱାଲିଫିକେସନ୍ ‘ଏ’ରେ ଅଂଶଗ୍ରହଣ କରୁଥିବା ପୁନିଆ ଓଭରଅଲ ୧୬ତମ ସ୍ଥାନରେ ରହିଥିଲେ । ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନର ନିକଟତର ବି ହୋଇପାରିନଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ପୁନିଆ ମାତ୍ର ୬୦.୫୭ ମିଟର ଦୂରତା ଫିଙ୍ଗିବାକୁ ସମର୍ଥ ହୋଇଥିଲେ ।

Comments are closed.