ସୀମା ବିବାଦ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ମିଜୋରାମ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହାଛଡ଼ା ଆସାମର ୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମେତ ୨୦୦ ଅଜ୍ଞାତ ପୋଲିସ୍ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ମିଜୋରାମର ପୋଲିସ୍ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଜନ୍ ନେହଲିଆ ଶନିବାର ଗଣମାଧ୍ୟମକୁ କହିଛନ୍ତି ଯେ ହତ୍ୟା ଉଦ୍ୟମ ତଥା ଆପରାଧିକ ଷଡଯନ୍ତ୍ର ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୋମବାର ବିଳମ୍ବିତ ରାତିରେ କୋଲାସିବ ଜିଲ୍ଲାର ଭେରେଙ୍ଗଟେ ପୋଲିସ ଷ୍ଟେସନରେ ପୋଲିସ ଏଫଆଇଆର ଦାଖଲ କରିଥିଲା।

ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ବହୁ ଦଶନ୍ଧି ଧରି ଚାଲିଆସିଛି। ଏହି ସପ୍ତାହରେ ଏହି ବିବାଦ ଉଗ୍ରରୂପ ନେଇଛି | ସୋମବାର ଏହି ରାଜ୍ୟଗୁଡିକର ସୀମାନ୍ତ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା ​​ଯେଉଁଥିରେ ୬ଜଣ ଆସାମ ପୋଲିସ୍ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଉଭୟ ପକ୍ଷ ପରସ୍ପରକୁ ଏଥିପାଇଁ ଦାୟୀ କରିଛନ୍ତି ।

Comments are closed.