ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ହାଇସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଶିକ୍ଷକମାନେ ଗୁରୁତ୍ବ ଦେବାସହ ବିଦ୍ୟାଳୟଗୁଡ଼ିକରେ କୌଣସି ଛାତ୍ରଛାତ୍ରୀ ଯେପରି ବୋର୍ଡ ପରୀକ୍ଷାରେ ଫେଲ୍ ନ ହୁଅନ୍ତି ସେହି ଲକ୍ଷ୍ୟ ନେଇ ପ୍ରଧାନଶିକ୍ଷକମାନେ କାର୍ଯ୍ୟକରିବେ । ଶିକ୍ଷକମାନେ ପ୍ରତ୍ୟେକ ପିଲାଙ୍କୁ ନିଜ ପିଲା ଭଳି ପାଠ ପଢାଇବାକୁ କହିଛନ୍ତି ପ୍ରମୁଖ ସଚିବ ଶ୍ରୀ ସାହୁ ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ “୫ଟି- ହାଇସ୍କୁଲ୍ ଟ୍ରାନ୍ସଫରମେଶନ” କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ବୋଧନ କରି ସେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦେଇଥିଲେ । ଶନିବାର ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ୫୩ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇଥିଲେ । ସେମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ( ଓଏସ୍‌ଇପିଏ ) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , “ମୋ ସ୍କୁଲ୍” ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଏବଂ “ମୋ ସ୍କୁଲ୍” ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା ଉପସ୍ଥିତ ଥିଲେ । ପ୍ରମୁଖ ସଚିବ ଶ୍ରୀ ସାହୁ “୫ଟି- ହାଇସ୍କୁଲ୍ ଟ୍ରାକ୍ଟଫରମେଶନ” କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତାକୁ ସୁଦୃଢ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ସରକାରୀ ବିଦ୍ୟାଳୟରେ କିଭଳି ପିଲାମାନଙ୍କ ସଂଖ୍ୟା ବୃଦ୍ଧିପାଇବ ତାହାଉପରେ ମଧ୍ୟ ଜୋର୍ ଦେଇଥିଲେ । ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଡିଜିଟାଲ୍ ଟେକ୍ନୋଲୋଜୀରେ ଦକ୍ଷ ହେବାକୁ ସେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଶିକ୍ଷକଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବାକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଅବସରରେ “ମୋ ସ୍କୁଲ୍” ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଜେନା “୫ଟି- ହାଇସ୍କୁଲ୍ ଟ୍ରାନ୍ସଫରମେଶନ” କାର୍ଯ୍ୟକ୍ରମର ୩ଟି ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବା ସହ ଭିତ୍ତିଭୂମି ବିକାଶ ପରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ କିଭଳି ପ୍ରାଥମିକତା ଦିଆଯିବ ସେନେଇ ପ୍ରଧାନଶିକ୍ଷକମାନଙ୍କୁ କହିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାରେ “୫ଟି- ହାଇସ୍କୁଲ୍ ଟ୍ରାନ୍ସଫରମେଶନ” କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍ ଶିକ୍ଷାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍ , ଇ – ଲାଇବ୍ରେରୀ ଏବଂ ବିଜ୍ଞାନଗାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଉପସ୍ଥିତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ଗ୍ରାମବାସୀ , ସ୍କୁଲ୍ ପରିଚାଳନା କମିଟି ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନା ବୈଠକ , ସ୍କୁଲ୍ ର ଆର୍ଥିକ କାରବାରରେ ସ୍ବଚ୍ଛତା ଏବଂ ଭିତ୍ତିଭୂମି ନିର୍ମାଣ ଜନିତ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବାକୁ ସେ କହିଥିଲେ । ଆସନ୍ତା ୧୫ଦିନ ମଧ୍ୟରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଯେପରି ସ୍ମାର୍ଟ କ୍ଲାସ୍ ରୁମ୍‌ର ପରିଚାଳନା କରିବାକୁ ଦକ୍ଷ ହୋଇପାରିବେ ତାହାଉପରେ ଗୁରୁତ୍ବ ଦେବାକୁ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟର କାର୍ଯ୍ୟ ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।

Comments are closed.