ଆଇସିସିର ନୂଆ ନିୟମ: କ୍ରିକେଟ୍ ଖେଳିବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ହେବା ଆବଶ୍ୟକ

ଦୁବାଇ – କ୍ରିକେଟ ଖେଳିବା ପାଇଁ ଆଇସିସି ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରିଛି । ଏଣିକି ୧୫ ବର୍ଷରୁ କମ୍ ବୟସର କେହି କ୍ରିକେଟ୍ ଖେଳିପାରିବେ ନାହିଁ । ଆଇସିସିର ନୂଆ ନିୟମାନୁସାରେ କ୍ରିକେଟରେ ପଦାର୍ପଣ କରିବାକୁ ଜଣେ ଖେଳାଳିଙ୍କୁ ଅତିକମ୍ ରେ ୧୫ ବର୍ଷ ହେବାକୁ ପଡିବ । କ୍ରିକେଟ ଓ ଖେଳାଳିଙ୍କ ସୁରକ୍ଷା ପାଇଁ ଆଇସିସି ଏହି ନୂଆ ନିୟମ ଜାରି କରିଛି ।

ଏହି ନିୟମ ସବୁ ଆଇସିସି ଇଭେଣ୍ଟ ସମେତ ପୁରୁଷ, ମହିଳା ଓ ଅଣ୍ଡର-୧୯ ବର୍ଗର ସବୁ ଫର୍ମାଟ୍ ଓ ଦ୍ୱିପାକ୍ଷିକ ଇଭେଣ୍ଟ ପାଇଁ ଲାଗୁ ହେବ । ଅସାଧାରଣ ପରିସ୍ଥିତି ସ୍ଥଳେ ଯଦି କୌଣସି ଦେଶ ୧୫ ବର୍ଷରୁ କମ୍ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି, ତେବେ ଏଥିପାଇଁ ଆଇସିସିରେ ଆବେଦନ କରିବାକୁ ପଡିବ । ଆବେଦନ କରୁଥିବା ଦେଶ ଉକ୍ତ ଖେଳାଳିର ଅଭିଜ୍ଞତା ଓ ମାନସିକ ଦକ୍ଷତା ସମ୍ପର୍କରେ ଆଇସିସିକୁ ଅବଗତ କରିବାକୁ ପଡିବ ।

ଏହାଛଡ଼ା ଉକ୍ତ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟର ଚ୍ୟାଲେଞ୍ଜ ସାମ୍ନା କରିବାରେ ସମର୍ଥ କି ନୁହେଁ ତାହା ବି ଆଇସିସିକୁ ଜଣାଇବାକୁ ପଡିବ । ଏଯାବତ କେବଳ ଜଣେ ଖେଳାଳି ୧୫ ବର୍ଷ ହେବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି ଖେଳାଳି ଜଣକ ହେଉଛନ୍ତି ପାକିସ୍ତାନର ହସନ ରାଜା । ରାଜା ମାତ୍ର ୧୪ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ । ୧୯୯୬ରେ ନିଜ ଟେଷ୍ଟ ପଦାର୍ପଣ କରିବା ବେଳେ ତାଙ୍କ ବୟସ ଥିଲା ୧୪ ବର୍ଷ ୨୨୭ ଦିନ । ରାଜା ୧୯୯୬ ରୁ ୨୦୦୫ ପର୍ଯ୍ୟନ୍ତ ପାକିସ୍ତାନ ତରଫରୁ ୭ଟି ଟେଷ୍ଟ ଓ ୧୬ଟି ଦିନିକିଆ ଖେଳିଥିଲେ ।

Comments are closed.