ମଡର୍ଣ୍ଣା ଘୋଷଣା କଲା କରୋନା ଟିକାର ଦାମ୍, ଡୋଜ୍ ପିଛା ମୂଲ୍ୟ ୧୮୦୦ରୁ ୨୮୦୦ ଟଙ୍କା

ୱାଶିଂଟନ୍ – ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କ ପରେ ଏବେ ଆମେରିକୀୟ ଔଷଧ କମ୍ପାନୀ ମଡର୍ଣ୍ଣା ଏହାର କରୋନା ଟିକାର ଦାମ ଘୋଷଣା କରିଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଏହାର ଟିକା ଡୋଜ୍ ପିଛା ମୂଲ୍ୟ ୨୫ରୁ ୩୭ ଡଲାର ହେବ । ଅର୍ଥାତ୍ ଭାରତୀୟ ମୂଲ୍ୟରେ ମଡର୍ଣ୍ଣା ଟିକାର ଦାମ୍ ୧୮୦୦ରୁ ୨୮୦୦ ଟଙ୍କା ହେବ ।

ଅର୍ଡର ଅନୁସାରେ ଟିକାର ମୂଲ୍ୟ ନିର୍ଭର କରିବ । ଟିକାର ମୂଲ୍ୟ ବଜାର ଚାହିଦା ଉପରେ ନିର୍ଭର କରିବ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବ୍ୟାନ୍ସଲ କହିଛନ୍ତି । ନିକଟରେ ସିରମ୍ ଇନ୍ଷ୍ଟିଚ୍ୟୁଟ ସିଇଓ ପୁନାୱାଲା ଭାରତରେ ଅକ୍ସଫୋର୍ଡ ଟିକାର ଦାମ୍ ସମ୍ପର୍କରେ ଘୋଷଣା କରିଥିଲେ । ଅକ୍ସଫୋର୍ଡ ଟିକାର ପ୍ରତି ଡୋଜ୍ ଭାରତରେ ୫୦୦ରୁ ୬୦୦ ଟଙ୍କାର ମିଳିବ ବୋଲି ପୁନାୱାଲା କହିଥିଲେ । ଅକ୍ସଫୋର୍ଡ ଟିକା ଭାରତରେ ଫେବୃୟାରୀ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ । ଏପ୍ରିଲ ସୁଦ୍ଧା ସବୁ ସାଧାରଣ ଲୋକଙ୍କୁ ଏହି ଟିକା ମିଳିବ ବୋଲି ପୁନାୱାଲା କହିଥିଲେ ।

ନିକଟରେ ମଡର୍ଣ୍ଣା ଏହା ଦ୍ୱାରା ବିକଶିତ କରୋନା ଟିକା ୯୪.୫% ଫଳପ୍ରଦ ବୋଲି ଦାବି କରିଥିଲା । ଖୁବ୍ ଶୀଘ୍ର ମର୍ଡର୍ଣ୍ଣା ଟିକା ବଜାରରେ ଉପଲବ୍ଧ ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହି ଟିକାର ୨କୋଟି ଡୋଜ୍ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଥିଲା ।

Comments are closed.