ପିତୃ ବିୟୋଗ ସତ୍ତ୍ୱେ ଅଷ୍ଟ୍ରେଲିଆରେ ରହିବେ ସିରାଜ

ନୂଆଦିଲ୍ଲୀ – ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଯୁବ ବୋଲର ମହମ୍ମଦ ସିରାଜଙ୍କ ବାପା ମହମ୍ମଦ ଘୌସଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଘୌସଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ବହୁଦିନ ଧରି ଫୁସଫୁସ୍ ରୋଗରେ ପୀଡିତ ଥିଲେ । ଏକ ସାଧାରଣ ପରିବାରରୁ ଆସିବା ସତ୍ତ୍ୱେ ଏବଂ ସୀମିତ ସମ୍ବଳରେ ଘୌସ ତାଙ୍କ ପୁଅ ସିରାଜର କ୍ରିକେଟର ହେବା ସ୍ୱପ୍ନକୁ ସାକାର କରିଥିଲେ ।

ଏହି ବ୍ୟକ୍ତିଗତ ବିପର୍ଯ୍ୟୟ ସତ୍ତ୍ୱେ ସିରାଜ ଅଷ୍ଟ୍ରେଲିଆରେ ରହିବେ ବୋଲି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି । ଏଭଳି ଦୁଃଖଦ ସମୟରେ ସିରାଜଙ୍କ ଧୈର୍ଯ୍ୟକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସିରାଜ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି । ବାପାଙ୍କ ଦେହାନ୍ତ ପରେ ସିରାଜ ଅତ୍ୟନ୍ତ ଭାବପ୍ରବଣତାର ସହ କହିଛନ୍ତି, ସେ ତାଙ୍କ ଜୀବନର ସବୁଠୁ ବଡ଼ ସାହାରା ହରାଇଛନ୍ତି । ଦେଶପାଇଁ ମୋତେ ଖେଳିବା ଦେଖିବା ତାଙ୍କ ସ୍ୱପ୍ନ ଥିଲା । ତାଙ୍କର ଏହି ସ୍ୱପ୍ନ ମୁଁ ସାକାର କରିପାରିଥିବାରୁ ସେ ନିଶ୍ଚେ ଖୁସି ଥିବେ । କ୍ୱାରେଣ୍ଟାଇନ ପ୍ରଟୋକଲ ଯୋଗୁଁ ସିରାଜ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଭାରତ ଆସିପାରି ନାହାନ୍ତି ।

Comments are closed.