ବିଧାନସଭାର ଗଣଶିକ୍ଷା ମନ୍ତ୍ରୀଙ୍କ ବିବୃତି , ଛୋଟ ଛୋଟ ସ୍କୁଲର ମିଶ୍ରଣ ହେଲେ ବଢିବ ଶିକ୍ଷାର ମାନ, ଅନୁସୂଚିତ ଅଂଚଳରେ ଏଣିକି ୧୫ରୁ କମ୍ ପିଲା ଥିଲେ ମିଶ୍ରଣ ହେବ ସ୍କୁଲ୍

ଭୁବନେଶ୍ୱର- ରାଜ୍ୟରେ ଛୋଟ ସ୍କୁଲର ମିଶ୍ରଣ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି , ଉଦ୍ଦେଶ୍ୟମୂଳକ ବା ବେଆଇନ ଭାବେ ସରକାର କିଛି କରିନାହାନ୍ତି । ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ନିୟମରେ ପରିବର୍ତନ କରାଯାଇ ଏଣିକି ଅନୁସୂଚିତ ଅଂଚଳରେ ୧୫ରୁ କମ୍ ଓ ଅଣଅନୁସୂଚିତ ଅଂଚଳରେ ୨୦ ରୁ କମ୍ ପିଲା ଥିଲେ ସେହି ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ । ପୂର୍ବରୁ ଏହି ସଂଖ୍ୟା ଯଥାକ୍ରମେ ୨୫ ଓ ୪୦ ଥିଲା ।

ନୂଆ ନିୟମ ଫଳରେ ଏଭଳି ସ୍କୁଲ ସଂଖ୍ୟା ୩ ହଜାର ହେବ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛୋଟ ଛୋଟ ସ୍କୁଲ୍ ମିଶ୍ରଣ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ବିଭାଗୀୟ ମନ୍ତ୍ରୀ ବିବୃତିରେ କହିଛନ୍ତି । ରାଜ୍ୟରେ ୧୪ ହଜାର ୩୮୨ ସ୍କୁଲରେ ୪୦ରୁ କମ୍ ଛାତ୍ରଛାତ୍ରୀ ପଢୁଛନ୍ତି । ସେଥିମଧ୍ୟରୁ ୭ ହଜାର ୭୭୨ଟି ସ୍କୁଲକୁ ମିଶ୍ରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି । ଏହି ସ୍କୁଲ୍ ପିଲାଙ୍କ ଯାତାୟତ ପାଇଁ ୩ ଶହ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟର ୬ ହଜାର ୪୮ଟି ସ୍କୁଲରେ ୨୦ରୁ କମ୍ ପିଲା ପଢୁଛନ୍ତି । ୧ ହଜାର ୭୨୪ଟି ସ୍କୁଲରେ ୨୫ରୁ କମ୍ ପିଲା ପଢୁଥିବାରୁ ସେସବୁ ସ୍କୁଲର ମିଶ୍ରଣ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି । ମିଶ୍ରଣ ନେଇ ଯେଉଁଠି ଲିଖିତ ଅଭିଯୋଗ ଆସିବ, ସରକାର ତାହା ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.