ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଲା, ଦିନକରେ ଆଉ ୪୪,୦୫୯ ମାମଲା, ୫୧୧ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୪,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ମାମଲା ୯୧ ଲକ୍ଷ ଟପିଛି । ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨.୫% କମିଛି । ଦିନକରେ ଆଉ ୫୧୧ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଭାରତରେ କରୋନାରେ ମୋଟ ୧,୩୩,୭୩୮ ଲୋକଙ୍କ ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୪୧,୦୨୪ ଲୋକ ଆରୋଗ୍ୟ ଲାଭ ବି କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୫.୬ ଲକ୍ଷକୁ ବୃଦ୍ଧି ପାଇଛି । ଏବେ ଦେଶରେ କେବଳ ୪.୪ ଲକ୍ଷ ସକ୍ରିୟ ମାମଲା ଅଛନ୍ତି ।

ଦେଶର ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦,୦୦୦ରୁ କମ୍ ରହିଥିବା ବେଳେ ଆଉ ୯ ରାଜ୍ୟରେ ୨୦,୦୦୦ରୁ ଊର୍ଦ୍ଧ୍ୱ ଚିକିତ୍ସାଧୀନ ରୋଗି ଅଛନ୍ତି । ଆଇସିଏମ୍‌ଆର୍ ସୂଚନା ମୁତାବକ ନଭେମ୍ବର ୨୨ ସୁଦ୍ଧା ମୋଟ ୧୩ କୋଟି ୨୫ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ୮.୪୯ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ଭାରତରେ ସଂକ୍ରମଣ ହାର ୭% ରହିଛି ।

Comments are closed.