ୟୁପିରେ ଲାଗୁ ହେଲା ଲଭ୍ ଜିହାଦ ଆଇନ, ବିବାହ ନାଁରେ ଧର୍ମ ପରିବର୍ତ୍ତନ କଲେ ହେବ ଜେଲ୍‌

ଲକ୍ଷ୍ନୌ – ଉତ୍ତର ପ୍ରଦେଶରେ ଲାଗୁ ହୋଇଛି ‘ଲଭ ଜିହାଦ୍‌’ ଆଇନ । ଏ ସମ୍ବନ୍ଧୀୟ ଅଧ୍ୟାଦେଶକୁ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ମଞ୍ଜୁରି ମିଳିଛି । ଏଥିସହ ଏହି ଆଇନ ଆଜିଠୁ ରାଜ୍ୟରେ ଲାଗୁ ହୋଇଛି । ଏହି ଆଇନ ଅନୁସାରେ ବିବାହ ପରେ ଯଦି ମହିଳାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଜୋର ଜବରଦସ୍ତି କରାଯାଏ, ତେବେ ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରାଯିବ ଏବଂ ଦୋଷୀଙ୍କୁ ୧୫,୦୦୦ ଜରିମାନା ସହ ୧ରୁ ୫ ବର୍ଷ ଯାଏଁ ଜେଲ ହେବ ।

ନାବାଳିକା ଏବଂ ଏସସି, ଏସଟି ମହିଳାଙ୍କ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଗଲେ ୨୫, ୦୦୦ ଜରିମାନା ସହ ୧୦ ବର୍ଷ ଜେଲଦଣ୍ଡ୍ ବ୍ୟବସ୍ଥା ରହିଛି । ଲଭ ଜିହାଦ ଆଇନାନୁସାରେ ସାମୁହିକ ଧର୍ମ ପରିବର୍ତ୍ତନ ମାମଲାରେ ଦୋଷୀଙ୍କୁ ୩ ରୁ ୧୦ ବର୍ଷ ଯାଏଁ ଜେଲ ସହ ୫୦,୦୦୦ ଜରିମାନା ହେବ । ତା’ଛଡ଼ା ଯଦି କୌଣସି ପୁରୁଷ କିମ୍ବା ମହିଳା ବିବାହ ପରେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ଏଥିପାଇଁ ସେମାନଙ୍କୁ ବିବାହର ଦୁଇ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡିବ । ଲଭ ଜିହାଦ ନାମରେ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ପରେ ଉତ୍ତର ପ୍ରଦେଶ ସରକାର ଏହି ଆଇନ ଆଣିଛନ୍ତି । ୟୁପି ପୂର୍ବରୁ ମଧ୍ୟପ୍ରଦେଶ, ହରିୟାଣା, କର୍ଣ୍ଣାଟକ ଓ ଅନ୍ୟ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହିପରି ଆଇନ ଆଣିବାକୁ ଘୋଷଣା କରିଛନ୍ତି ।

Comments are closed.