ଟିକା ସମୀକ୍ଷା: ଅହମ୍ମଦାବାଦ ପରେ ହାଇଦ୍ରାବାଦରେ ମୋଦି, ବୈଜ୍ଞାନିକଙ୍କୁ ପ୍ରଶଂସା

ହାଇଦ୍ରାବାଦ – ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନୋଟି ସହର ଗସ୍ତରେ ବାହାରିଛନ୍ତି । ପ୍ରଥମେ ଅହମ୍ମଦାବାଦରେ ଜାଏଡସ୍ ବାୟୋଟେକରେ ବୈଜ୍ଞାନିକଙ୍କ ସହ ଟିକା ନେଇ ଆଲୋଚନା କରିବା ପରେ ମୋଦି ହାଇଦ୍ରାବାଦରେ ପହଞ୍ଚିଛନ୍ତି ।

ଏଠରେ ମୋଦି ସ୍ୱଦେଶୀ ଟିକା ‘କୋଭାକ୍ସିନ’ ତିଆରି କରୁଥିବା ଭାରତ ବାୟୋଟେକର ରିଚର୍ସ ସେଣ୍ଟରକୁ ଯାଇଥିଲେ । ଟିକା ଟ୍ରାଏଲରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସଫଳତା ପାଇଁ ମୋଦି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଟିକା ପ୍ରସ୍ତୁତି କିଭଳି ତ୍ୱରାନ୍ୱିତ କରାଯିବ ସେନେଇ ସରକାର ଆଇସିଏମଆର ସହ ମିଶି କାମ କରୁଛନ୍ତି ବୋଲି ମୋଦି କହିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସକାଳ ୧୦ଟାରେ ଅହମ୍ମଦାବାଦ ସ୍ଥିତ ଜାଏଡସ୍ ବାୟୋଟେକ୍ ପାର୍କ ଯାଇଥିଲେ । ଏଠାରେ ମୋଦି ପ୍ରାୟ ଏକ ଘଣ୍ଟା ଧରି ଟିକା ପ୍ରସ୍ତୁତିରେ ଅଗ୍ରଗତି ସମ୍ପର୍କରେ ବୈଜ୍ଞାନିକଙ୍କୁ ପଚାରି ବୁଝିଥିଲେ । ମୋଦି ପିପିଇ କିଟ୍ ପିନ୍ଧି ଜାଏଡସ ବାୟୋଟେକ ପାର୍କର ଭ୍ୟାକ୍ସିନ ଡେଭଲପମେଣ୍ଟ ପ୍ରୋସେସ୍ ଦେଖିଥିଲେ ।

Comments are closed.