ଡିସେମ୍ବର ପାଇଁ ଅଫିସ ଗାଇଡଲାଇନ: କଟକ, ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର- ଡିସେମ୍ବର ମାସ ପାଇଁ ଜାରି କରାଯାଇଛି ଅଫିସ ଗାଇଡଲାଇନ୍ସ । ଡିସେମ୍ବର ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ । ଏ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଆସନ୍ତାମାସରେ ଭୁବନେଶ୍ୱର ଓ କଟକରେ ଥିବା ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାମ କରିପାରିବେ । ସମସ୍ତ ସରକାରୀ ଅଫିସ ଶନିବାର ଦିନ ବନ୍ଦ ରହିବ । କେଉଁ କର୍ମଚାରୀମାନେ ଅଫିସ ଆସି କାମ କରିବେ,ତାହା ଅଫିସର ମୁଖ୍ୟ ସ୍ଥିର କରିବେ । ଜରୁରୀକାଳିନ ସେବାରେ ଥିବା ଅଫିସ କିନ୍ତୁ ପୂରା କର୍ମଚାରୀଙ୍କୁ ନେଇ ଚାଲିବ । ଏସଆରସି, ଓଏସଡିଏମଏ, ପୋଲିସ,ଅଗ୍ନିଶମ ବିଭାଗ,ସ୍ୱାସ୍ଥ୍ୟ ସେବା ଆଦି ଅଫିସଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଯଦି କାମ କରିବା ବେଳେ କୌଣସି କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ପ୍ରୋଟକଲ ମାନିବାକୁ ହେବ ।

Comments are closed.