ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ – କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ହଜାର ହଜାର ଚାଷୀ ଏବେ ବି ଦିଲ୍ଲୀ ସୀମାନ୍ତବର୍ତ୍ତି ଅଞ୍ଚଳ ଗୁଡିକରେ ଡେରା ପକାଇ ଧାରଣାରେ ବସିଛନ୍ତି । ସେମାନେ ଜାତୀୟ ରାଜଧାନୀର ସବୁ ପ୍ରବେଶ ପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନ ପାଇଁ ନିର୍ଦ୍ଧାରିତ ସ୍ଥାନ (ବୁରାଡି ଗ୍ରାଉଣ୍ଡ)କୁ ଆସିଲେ ସବୁ ସମସ୍ୟା ଉପରେ ତୁରନ୍ତ ଆଲୋଚନା କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗତକାଲି ଆନ୍ଦୋଳନରତ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଥିଲେ । ସେମାନେ କୌଣସି ସର୍ତ୍ତମୂଳକ ଆଲୋଚନା କରିବେ ନାହିଁ ବୋଲି ଚାଷୀମାନେ ସ୍ପଷ୍ଟ କରିଦେଇଛନ୍ତି । ଆନ୍ଦୋଳନରତ ଚାଷୀ ନିଜ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଜି ନିଷ୍ପତ୍ତି ନେବା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଯେଉଁ ଚାଷୀମାନେ ଦିଲ୍ଲୀର ବୁରାଡି ଗ୍ରାଉଣ୍ଡରେ ଦୁଇଦିନ ତଳେ ପହଞ୍ଚିଥିଲେ, ସେମାନେ ସେଠାରେ ନିଜ ବିକ୍ଷୋଭ ଜାରି ରଖିଛନ୍ତି । ଚାଷୀମାନଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀ ନଗରୀ ଦିଲ୍ଲୀର ଅନେକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ସିଂଘୁ ଓ ଟିକ୍ରି ସୀମାକୁ ଆନ୍ଦୋଳନରତ ଚାଷୀମାନେ ଅବରୋଧ କରି ରଖିଥିବାରୁ ଅନ୍ୟ ରୁଟ୍ ଦେଇ ଗମନା ଗମନ କରିବାକୁ ଦିଲ୍ଲୀ ଟ୍ରାଫିକ ପୋଲିସ୍ ଲୋକଙ୍କୁ ପରାମର୍ଶ ଦେଇଛି ।

ଆନ୍ଦୋଳନରତ ଚାଷୀଙ୍କ ସହ ହରିୟାଣାର ଅନେକ ‘ଖାପ୍ ପଞ୍ଚାୟତ’ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ରୋତକରେ ହୋଇଥିବା ୩୦ ଖାପ୍ ପଞ୍ଚାୟତର ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି ସଙ୍ଗୱାନ ଖାପର ମୁଖ୍ୟ ତଥା ଦାଦ୍ରି ବିଧାୟକ ସୋମବୀର ସାଙ୍ଗୱାନ କହିଛନ୍ତି ।

Comments are closed.