କୋଭିଡ ସଂକଟ ବେଳେ ପ୍ରଦୀପଙ୍କ ଅୟସ : ଜନବିରୋଧୀ କାର୍ଯ୍ୟ ନୁହେଁ ତ ଆଉ କଣ ?

ବ୍ରହ୍ମପୁର – ଜନ ପ୍ରତିନିଧିଙ୍କ ଜନ ବିରୋଧୀ କାମ । ପଦ ପଦବୀର ଅପବ୍ୟବହାର । ଲୋକଙ୍କ ସଂକଟ ସମୟରେ ସେମାନଙ୍କ ସହ ରହିବା ପରିବର୍ତେ ବିଳାସବ୍ୟସନ ଜୀବନଯାପନ ! ଏହା ଜନବିରୋଧୀ
କାର୍ଯ୍ୟକଳାପ ନୁହେଁ ତ ଆଉ କଣ ? ସାରା ଗଞ୍ଜାମ ଜିଲ୍ଲା କୋଭିଡ ସଂକଟ ଦେଇ ଗତି କରୁଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଚାର୍ଟର୍ଡ ଫ୍ଲାଇଟରେ ଯିବା ଆସିବା କରୁଥିଲେ । ମୁମ୍ବାଇର ହୋଟେଲ ତାଜ, ଦିଲ୍ଲୀର ତାଜ ପ୍ୟାଲେସ ଭଳି ସୌଖିନ ହୋଟେଲରେ ରହୁଥିଲେ ।

ଗଂଜାମ ଜିଲ୍ଲା କୋରୋନା ହଟସ୍ପଟ୍‌ରେ ପରିଣତ ହୋଇଥିବା ବେଳେ ମହାମାରୀ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଉଦ୍ୟମ କରୁଥିଲେ । ସାଧାରଣ ଲୋକେ ଏକ ମାରାତ୍ମକ ମହାମାରୀରେ ଆତଙ୍କିତ ଥିବା ବେଳେ ଗୋପାଳପୁର ବିଧାୟକ ଜନତାଙ୍କ ସହ ରହି ଅନୁକମ୍ପା ପ୍ରଦର୍ଶନ କରିବା ପରିବର୍ତେ ସେମାନଙ୍କୁ ଠକିବାରେ ଲାଗିଥିଲେ । ଏକ ଘଡିସନ୍ଧି ସମୟରେ ବିଧାୟକ ବାବୁ ବ୍ୟୟବହୁଳ ଓ ବିଳାସମୟ ଜୀବନଯାପନ କରୁଥିଲେ । ଚାର୍ଟାର୍ଡ ଫ୍ଲାଇଟରେ ମୁମ୍ବାଇ ଓ ଦିଲ୍ଲୀ ଯାଇ ପଂଚତାରକା ହୋଟେଲରେ ରହଣି କରିଥିଲେ । ମୁମ୍ବାଇରେ ଅଭୟକାନ୍ତ ପାଠକ ପରିବାର ସହ ପ୍ରଦୀପ ପାଣିଗ୍ରାହୀ ହୋଟେଲ ତାଜରେ ରହିଥିଲେ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୮୪ ଲକ୍ଷ ଟଙ୍କା । ସେହିପରି ଦିଲ୍ଲୀ ରହଣିରେ ବି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଅନ୍ୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନା କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ଦିନରାତି କଠୋର ପରିଶ୍ରମ କରିଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିନ୍ତୁ ଲଜ୍ଜାଜନକ ଭାବେ ନିଜର ପ୍ରଭାବ ଓ ସଂପତି ପ୍ରଦର୍ଶନ କରିବାରେ ମସଗୁଲ୍ ଥିଲେ । ସଂକଟ ସମୟରେ ଲୋକଙ୍କ ଗହଣରେ ରହି ସେମାନଙ୍କ ଆଶା ଆଶ୍ୱାସନା ଦେବେ କଣ, ବିଧାୟକ ମହାଶୟ ପାଠକ ପରିବାର ସହ ବ୍ୟୟବହୁଳ ଜୀବନ ଉପଭୋଗ କରିଥିଲେ ।
ବିଧାୟକଙ୍କ ଏପରି କାର୍ଯ୍ୟକଳାପ ଜନ ବିରୋଧୀ ନୁହେଁ ତ ଆଉ କଣ ହୋଇପାରେ ?

Comments are closed.