ମାରିଉପୋଲ ଥିଏଟର ଉପରେ ରୁଷ ବୋମାମାଡ଼ରେ ୩୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

କିଭ୍: ଗତ ସପ୍ତାହରେ ୟୁକ୍ରେନର ଏକ ଥିଏଟର ଉପରେ ରୁଷର ଆକ୍ରମଣରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହି ଥିଏଟରରେ ଶହ ଶହ ଲୋକ ଆଶ୍ରୟ ନେଇଥିଲେ | ଶୁକ୍ରବାର ଦିନ ବନ୍ଦର ସହର ମାରିଉପୋଲରେ ୟୁକ୍ରେନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ମାରିଉପୋଲ ସିଟି ହଲ୍ ଟେଲିଗ୍ରାମରେ ଲେଖିଛି, ‘ସାକ୍ଷୀମାନଙ୍କଠାରୁ ସୂଚନା ମିଳୁଛି ଯେ ରୁଷର ବିମାନ ଆକ୍ରମଣରେ ମାରିଉପୋଲର ଡ୍ରାମା ଥିଏଟରରେ ପ୍ରାୟ ୩୯୦ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଇତି ମଧ୍ୟରେ ଏକ ମାସ ପୂରିଛି । ତଥାପି କେହି ବି ନଇଁବାକୁ ନାରାଜ ।

ୟୁକ୍ରେନର ଅନେକ ସହରରେ ରୁଷର ଭୟାନକ ବୋମାମାଡ଼ ଜାରି ରହିଛି। ବହୁଲୋକ ଭୋକ ଉପାସରେ ଓ ଭୟରେ ଦିନ କାଟୁଥିବା ବେଳେ ଅନେକ ଲୋକ ଘର ଛାଡି ଚାଲିଯାଇଛନ୍ତି । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ପୋଲାଣ୍ଡ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ୟୁକ୍ରେନ ସୀମା ନିକଟରେ ରହିବେ।

ଜୋ ବାଇଡେନ୍ ଗୁରୁବାର ବ୍ରସେଲ୍ସରେ କହିଥିଲେ ଯେ ଯଦି ରୁଷ ୟୁକ୍ରେନରେ ରାସାୟନିକ ଅସ୍ତ୍ର ବ୍ୟବହାର କରେ ତେବେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଏହାର ଜବାବ ଦେବ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟରେ ବାଇଡେନଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି |

Comments are closed.