ନୀତିଶ ସପ୍ତମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ପାଟନା –ନୀତିଶ କୁମାର କ୍ରମାଗତ ଚତୁର୍ଥ ତଥା ମୋଟ ଉପରେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ଅପରାହ୍ନରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଫାଗୁ ଚୌହ୍ୱାନ ନୀତିଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନୀତିଶଙ୍କ ସହିତ ଆଉ ୧୪ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିରୁ ୭, ଜେଡିୟୁରୁ ୫ ଜଣ ଶପଥ ନେଇଥିବା ବେଳେ ‘ଭିଆଇପି’ ଓ ‘ହମ୍‌’ ଦଳର ଜଣେ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିରୋଧୀ ମହାମେଣ୍ଟ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଥିଲା ।
ନୀତିଶଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଶପଥ ନେଇଥିଲେ । ତାରକିଶୋର କଟିହାର ଆସନରୁ ବିଜୟୀ ହୋଇଥିବା ବେଳେ ରେଣୁ ଦେବୀ ବେତିଆ ବିଧାନସଭାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଜେଡିୟୁର କାର୍ଯ୍ୟକାରୀ ସଭାପତି ଅଶୋକ ଚୌଧୁରୀ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ନୀତିଶ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ପ୍ରଥମ ଥର ମାର୍ଚ୍ଚ ୩, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ମାତ୍ର ୭ ଦିନ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ପୁଣି ୨୦୦୫ରେ ଏନଡିଏ ମେଣ୍ଟକୁ ବିଜୟୀ କରିବା ସହ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ସେ ସଫଳତାର ସହ ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ । ତୃତୀୟ ଥର ପାଇଁ ଏହି ଜେଡିୟୁ ନେତା ନଭେମ୍ବର ୨୬, ୨୦୧୦ରୁ ମେ ୨୦, ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ଜୀତନରାମ ମାଂଝି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୨ ଫେବୃୟାରୀ ୨୦୧୫ରେ ନୀତିଶ ଚତୁର୍ଥ ଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଫେରିଥିଲେ । ସେହିବର୍ଷ ଅର୍ଥାତ୍ ବିହାରର ୧୫ତମ ବିଧାନସଭାରେ ତିନିଥର ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଯାଇଥିଲା । ପ୍ରଥମେ ନୀତିଶ, ପରେ ମାଂଝି ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣି ୧୬ତମ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ନୀତିଶ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ନୀତିଶଙ୍କ ପଞ୍ଚମ କାର୍ଯ୍ୟକାଳ ନଭେମ୍ବର ୨୦, ୨୦୧୫ରୁ ଜୁଲାଇ ୨୬, ୨୦୧୭ ପର୍ଯ୍ୟନ୍ତ ଥିଲା । କାରଣ ଆରଜେଡି ଓ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜୁଲାଇ ୨୭, ୨୦୧୭ରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ପରେ ନୀତିଶ ବିଜେପି ଓ ଏନଡିଏ ସହ ହାତ ମିଳାଇ ପୁଣି କ୍ଷମତାକୁ ଫେରିଥିଲେ ଏବଂ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed.