୪୫ ବର୍ଷ ପରେ ଏଲଏସିରେ ଗୁଳି ବିନିମୟ, ଭାରତୀୟ ସେନା ଗୁଳି ଚଳାଇଥିବା ପିଏଲଏର ଦାବି, ଚୀନ୍‌ର ଆଉ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା

ନୂଆଦିଲ୍ଲୀ – ସୀମା ବିବାଦ ନେଇ ଉତେଜନା ଲାଗି ରହିଥିବା ବେଳେ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା –ଏଲଏସିରେ ଗୁଳି ବିନିମୟ ହୋଇଛି । ଚୀନ ସୈନ୍ୟଙ୍କ ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛନ୍ତି । ଲଦାଖର ପେଙ୍ଗୋଙ୍ଗ୍ ସୋ ନିକଟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରି ଗୁଳିମାଡ କରିଥିବା ଅଭିଯୋଗ କରିଛି ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି -ପିଏଲଏ । ଭାରତୀୟ ସେନା ପକ୍ଷରୁ ୱାର୍ନିଂ ସଟ୍ ଫାୟର କରାଯାଇଥିବା ବୋଲି ପିଏଲଏ ଦାବି କରିଛି । ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କୁହାଯାଇଛି । ଏଣେ ଲଦାଖରେ ସ୍ଥିତି ଗମ୍ଭୀର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଚୀନ ବିରୋଧରେ ଆନ୍ତର୍ଜାତିକ ସମର୍ଥନ ପାଇଁ ଜାରି ରହିଛି ଭାରତର ଉଦ୍ୟମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ବି ତେହେରାନ ଯିବେ ।

Comments are closed.