ବ୍ରହ୍ମପୁରବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି… ୧୨.୫୨ କୋଟି ଟଙ୍କାର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ

By- Bishnupriya Padhi

ରାଜ୍ୟରେ କରୋନାର ସର୍ବାଧିକ ଭୟାବହତାରେ ୨୦୨୦ ବର୍ଷ କାଟିଥିବା ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ବାସିନ୍ଦାଙ୍କୁ ନବ ବର୍ଷରେ ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଣା ବର୍ଷର କଷ୍ଟକୁ ଭୁଲାଇ ୨୦୨୧ରେ ନୂଆ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ଏକ ଖାସ୍ ଆମୋଦପ୍ରମୋଦର ଅବସର । ନୂଆ ବର୍ଷର ପ୍ରଥମ ସପ୍ତାହରେ ଉଦ୍‌ଘାଟିତ ହୋଇଛି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ଫଳରେ ବ୍ରହ୍ମପୁର ବାସିନ୍ଦା ପାଇଛନ୍ତି ଆଉ ଏକ ବୃହତ୍ତମ , ସୁସଜ୍ଜିତ ଆଲୋକମାଳା ଖଚିତ , ବୋଟିଂ ଓ ସାନ୍ଧ୍ୟଭ୍ରମଣ ସୁବିଧା ସମେତ ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି ଏକ ମନୋରମ ପରିବେଶରେ କିଛି ସମୟ ମନୋରଞ୍ଜନ କରିବା ନିମନ୍ତେ ଏକ ଜାତୀୟସ୍ତରର ପାର୍କ।

କିଛି ବର୍ଷ ତଳର କଥା । ସହରର ବ୍ୟସ୍ତବହୁଳ ଏକାଧିକ ମାର୍କେଟ୍ ପ୍ଲେସ୍ ଓ ସିନେମା ହଲ ଥିବା ଜାଗାର କେନ୍ଦ୍ରସ୍ଥଳରେ ପରିତ୍ୟକ୍ତ ଅବସ୍ଥାରେ ପ୍ରଦୂଷିତ ହୋଇ ପଡ଼ି ରହିଥିଲା ରାମଲିଙ୍ଗମ୍ ପୋଖରୀ । ପଙ୍କ କାଦୁଅରେ ଭରା ପାଣି , ଚାରିପଟେ ସନ୍ଧ୍ୟାରେ ଚାହା ଖଟି ଓ ତାହାର ଆବର୍ଜନା ଉକ୍ତ ପୋଖରୀରେ ପଡୁଥିଲା । ଏତେ ବିଶାଳ ଜାଗା , ଅଥଚ ଅବ୍ୟବହୃତ ହୋଇ ପଡ଼ି ରହିଥିଲା । ତେବେ ରେଶମ ସହରର ବିକାଶ ଉପରେ ସ୍ବତନ୍ତ୍ର ନଜର ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଓ ମହାନଗର ନିଗମ ପ୍ରଶାସନ ଜରିଆରେ ଏହାର ପଟ୍ଟ ପରିବର୍ତ୍ତନ ତଥା ରୂପାନ୍ତରଣ କରିବାକୁ ନିଶ୍ଚିତ କରିଥିଲେ । ୨୦୧୬ ଜୁନ୍ ୧୬ ତାରିଖରେ ଉଚ୍ଚସ୍ତରୀୟ ବୈଠକ କରି ଉକ୍ତ ଜଳାଶୟର ପୁନଃଉଦ୍ଧାର କରି ସହରବାସୀଙ୍କୁ ଆଉ ଏକ ସୁନ୍ଦର ପାର୍କ ଭେଟିଦେବା ସହ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଓଡ଼ିଶା ଅର୍ବାନ୍ ଇନ୍‌ଫ୍ରାଷ୍ଟ୍ରକଚର ଫଣ୍ଡୁରୁ ୭.୫୨ କୋଟି ଓ ୨୦୧୮ରେ ଆଉ ୫ କୋଟି ମଞ୍ଜୁର କରିଥିଲେ । ୨୦୧୭ ଅକ୍ଟୋବର ୧୮ରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ୨୦୨୧ ଜାନୁଆରୀ ୪ ତାରିଖରେ ବ୍ରହ୍ମପୁର ବାସିନ୍ଦାଙ୍କୁ ନବବର୍ଷର ଭେଟି ସ୍ବରୂପ ଲୋକାର୍ପିତ ହୋଇଛି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ଏଭଳି ଏକ ସୁନ୍ଦର , ଭବ୍ୟ ପ୍ରମୋଦ ଉଦ୍ୟାନ ପାଇଁ ରେଶମ ସହରବାସୀ ମଧ୍ୟ ଗର୍ବିତ ଓ ଆନନ୍ଦିତ ।

ରାଜ୍ୟର ତୃତୀୟ ମହାନଗରର ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ନିକଟସ୍ଥ ଗୋପାଳପୁର ବେଳାଭୂମି , ବିଜୁ ପଟ୍ଟନାୟକ ପାର୍କ ବ୍ୟତୀତ କିଛି ଛୋଟମୋଟ ପାର୍କ ଓ ସିନେମା ହଲ୍ ହିଁ ସୀମିତ ସାଧନ ଥିଲା । ଏବେ କିନ୍ତୁ ଏହି ସୁଦୃଶ୍ୟ , ଆକର୍ଷକ ପ୍ରମୋଦ ଉଦ୍ୟାନ ସହରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଡିଜାଇନ୍ ଓ ନୂଆ ରୂପ ସହ ରାମଲିଙ୍ଗେଶ୍ୱର ପାର୍କ ଏବେ ବ୍ରହ୍ମପୁରବାସୀ ତଥା ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଛି । ୮.୧୫୭ ଏକର ପରିମିତ ଜଳାଶୟ , ୧୫୦୦ ବର୍ଗମିଟର ବଗିଚା , ୬ଟି ୱାଚ୍ ଟାଓ୍ବାର , ଫୁଡ୍ ଷ୍ଟଲ ଓ ହସ୍ତତନ୍ତ ସାମଗ୍ରୀ ଦୋକାନ ଏଥିରେ ରହିଛି । ଜଳାଶୟ ମଧ୍ୟ ଭାଗରେ ମହାଦେବଙ୍କ ୩୫ ଫୁଟର ମୂର୍ତ୍ତି, ପାଣିରେ ପ୍ରତିଫଳିତ ହେଉଥିବା ରଙ୍ଗବେରଙ୍ଗ ଆଲୋକ , ଫାଉଣ୍ଟେନ୍ , ବୁଲିବା ପାଇଁ ତଥା ଗପସପ କରିବା ନିମନ୍ତେ ସିଟିଂ ଗ୍ୟାଲେରୀ , ବାହାରେ ପାର୍କିଂ ସୁବିଧା ସାଙ୍ଗକୁ ପାଣିରେ ଘୁରି ବୁଲିବାକୁ ଚାରୋଟି ବୋଟ୍ , ଶୌଚାଳୟ ଓ ପରିଶ୍ରାଗାର ଭଳି ନ୍ୟୁନତମ ସୁବିଧା ମଧ୍ୟ କରାଯାଇଛି । ୬୨୦ ମିଟର ଲମ୍ବା ଚଲାପଥ ଓ ୨୮୦ ମିଟର ଲମ୍ବା ଓ ଉଚ୍ଚତର ଚଲାପଥ ସାନ୍ଧ୍ୟ ଭ୍ରମଣ ପାଇଁ ନିଆରା ସୁଯୋଗ ଆଣିଦିଏ । ପୋଖରୀ ପାହାଚଗୁଡିକୁ ଏମିତି ସଜ୍ଜିତ କରାଯାଇଛି ଯେ ଲୋକେ ତାହା ଉପରେ ଘଡିଏ ବସି ଖୁସିରେ ସମୟ ବିତାଇବାକୁ ପସନ୍ଦ କରିବେ । ଖୋଦ୍ ମୁଖ୍ୟମନ୍ତ୍ରୀ ଗତ ୪ ତାରିଖରେ ଉଦଘାଟନ ବେଳେ ଯଥାର୍ଥରେ କହିଥିଲେ ଯେ ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ରାମଲିଙ୍ଗେଶ୍ଵର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଏବେ ବ୍ରହ୍ମପୁରରେ ପର୍ଯ୍ୟଟକମାନଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିବ । ଏହି ଜଳାଶୟର ପାଣିକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ଵାନ ଜଣାଇଥିଲେ । ଦେଶର ସୁନ୍ଦର ସହର ହେବ ବ୍ରହ୍ମପୁର । ଗଞ୍ଜାମର ପର୍ଯ୍ୟଟନରେ ଏହା ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଯୋଡ଼ି ହେଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏକଦା ସ୍ଥାନୀୟ ଅଞ୍ଚଳର ଜଳସେଚନ କାର୍ଯ୍ୟରେ ଆସୁଥିଲା ଏହି ପୋଖରୀ । ଏଥିସହ ଏହି ବିଶାଳ ଜଳାଶୟ ହେତୁ ଆଖପାଖ ଅଞ୍ଚଳରେ କେବେ କୂଅରେ ପାଣି ଶୁଖୁ ନଥିଲା । ମାଟି ଭିତରେ ଜଳସ୍ତର ସର୍ବଦା ଏଭଳି ରହୁଥିଲା ଯେ ଲୋକଙ୍କୁ କେବେ ଜଳସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁ ନଥିଲା । ବହୁସଂଖ୍ୟକ କୋଠାବାଡି ଗଢି ଉଠିବା ପୂର୍ବରୁ ଏହି ଅଞ୍ଚଳରେ ବେଶ ସବୁଜିମା ଭରି ରହିଥିଲା । କାରଣ ରାମଲିଙ୍ଗମ ପୋଖରୀ ହେତୁ ବୃକ୍ଷଲତା ଘଞ୍ଚ ହୋଇ ବଢ଼ିବାରେ ସହାୟକ ହେଉଥିଲା । ତଦନୁରୂପ ବର୍ତ୍ତମାନ ମଧ୍ୟ ଏହି ରୂପାନ୍ତରିତ ଜଳାଶୟ ଓ ପାର୍କ ଜନସାଧାରଣଙ୍କୁ ପରିବେଶ ସଂରକ୍ଷଣ , ଜଳ ଉତ୍ସର ସୁରକ୍ଷା ଓ ସୌନ୍ଦର୍ଯ୍ୟ ନିମନ୍ତେ ପ୍ରେରଣା ଯୋଗାଇବା ଆଶା କରାଯାଏ । ଯଦିଓ ଜିଲ୍ଲା ତଥା ବିଏମ୍‌ସି ପ୍ରଶାସନ ଦ୍ବାରା ବ୍ରହ୍ମପୁରର ଆଉ କେତେକ ପୋଖରୀର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଇଛି , କିନ୍ତୁ ସବୁଠୁ ଶୀର୍ଷରେ ରହିବ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । କେବଳ ଯେ ପ୍ରଶାସନର ଏହା ଦାୟିତ୍ବ ନୁହେଁ , ବରଂ ଖୋଦ୍ ସହରବାସୀ ମଧ୍ୟ ନିଜ ଅଞ୍ଚଳର ଏହି ଆକର୍ଷଣୀୟ ସ୍ଥାନର ସଂରକ୍ଷଣ ପ୍ରତି ବ୍ୟକ୍ତିଗତ ଓ ସାମୂହିକ ଭାବେ ପ୍ରୟାସ କରିବାକୁ ହେବ ସେଥିରେ ଦ୍ବିମତ ନାହିଁ । ତାହାଦ୍ଵାରା ପର୍ଯ୍ୟଟକ ଆକୃଷ୍ଟ ହେବେ ଓ ଏହା ମହାନଗରର ବାଣିଜ୍ୟ ବ୍ୟବସାୟ ତଥା ଆର୍ଥିକ ଦିଗକୁ ସମୃଦ୍ଧ କରିବା ନିଶ୍ଚିତ । ଆଉ ଏକ କଥା ମଧ୍ୟ କହିହେବ ଯେ- ଏହି ସୁନ୍ଦର ପ୍ରମୋଦ ଉଦ୍ୟାନ ମହାନଗରର ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବେଶ ପ୍ରତି ସମ୍ବେଦନଶୀଳ ରହିବା ଶିକ୍ଷା ଦେବ । ଶ୍ରେଣୀ କକ୍ଷ ବାହାରେ ପ୍ରତ୍ୟକ୍ଷ ଅନୁଭୂତି ଦ୍ବାରା ସେମାନେ ଏହି ପାର୍କରେ ପ୍ରକୃତିର ସୌନ୍ଦର୍ଯ୍ୟ , ଜଳର ଉପାଦେୟତା , ପରିବେଶ ସଂରକ୍ଷଣର ମହନୀୟତା ଆଦି ବାବଦରେ ବାସ୍ତବ ଜ୍ଞାନ ହାସଲ କରିବା ଆଶା କରାଯାଇ ପାରେ । କେବଳ ପ୍ରମୋଦ ଓ ଖେଳକୁଦ ନୁହେଁ , ଅବସର ବିନୋଦନର ଏହି ସ୍ଥାନ ପରୋକ୍ଷ ଭାବେ ଆବାଳବୃଦ୍ଧ ବନିତାଙ୍କୁ ପ୍ରକୃତି ଓ ପରିବେଶର ସଂରକ୍ଷଣ ପ୍ରତି ସଜାଗ ଓ ସଚେତନ କରାଇବ । ସବୁଜିମାରେ ସଂଯୁକ୍ତ ଭିଭିଭୂମି, ପ୍ରାକୃତିକ ବାସସ୍ଥଳୀ ( ଇକୋ ସିଷ୍ଟମ୍ ) ବାବଦରେ ଗବେଷଣା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ରାମଲିଙ୍ଗେଶ୍ୱର ପାର୍କ ।

ଉଲ୍ଲେଖନୀୟ ଯେ ରାଜ୍ୟର ଅନ୍ୟତମ ମହାନଗର , ବାଣିଜ୍ୟିକ ଓ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରେଶମ ସହରକୁ ସୁନ୍ଦର ଭାବେ ଗଢ଼ିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କେବଳ ରାମଲିଙ୍ଗେଶ୍ୱର ପାର୍କ ନୁହେଁ , ନିକଟରେ ଇଞ୍ଜିନିୟରିଂ ସ୍କୁଲ ଛକ- ଶିଳ୍ପାଞ୍ଚଳ ଓଭରବ୍ରିଜ ଉଦ୍‌ଘାଟନ କରିଥିଲେ ସେ । ୨୦୨୧ରେ ସହରବାସୀଙ୍କ ଆଉ ଏକ ପ୍ରମୁଖ ଦାବି ପୂରଣ ହେବାକୁ ଯାଉଛି । ତାହା ହେଲା ଗଞ୍ଜାମ କଳା ପରିଷଦ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଭବ୍ୟ ମଣ୍ଡପ ଉଦ୍‌ଘାଟିତ ହେବ । କେବଳ ସେତିକି ନୁହେଁ ସହରବାସୀଙ୍କ ନିମନ୍ତେ ବହୁ ପ୍ରତୀକ୍ଷିତ ରାଜ୍ୟର ଏକମାତ୍ର ପ୍ରସ୍ତର ଉଦ୍ୟାନ , ସମ୍ପ୍ରସାରିତ ଓ ନବୀକରଣ ପରେ ଏକାଧିକ କ୍ରୀଡା ସୁବିଧା ସମ୍ବଳିତ ବ୍ରହ୍ମପୁର ଷ୍ଟାଡିୟମ୍, ସ୍ପୋର୍ଟସ୍ ଏରେନା ଆଦି ମଧ୍ୟ ରାଜ୍ୟର ବିଜେଡି ସରକାର ବ୍ରହ୍ମପୁରବାସୀଙ୍କୁ ପର୍ଯ୍ୟାୟକ୍ରମେ ଭେଟି ଦେବାକୁ ଯାଉଛନ୍ତି । ଏଥିରେ ସ୍ପଷ୍ଟ ଯେ- ମୁଖ୍ୟମନ୍ତ୍ରୀ ନିଜ ଘୋଷଣା ଅନୁରୂପ ରେଶମ ସହରର ବିକାଶକୁ ତ୍ବରାନ୍ବିତ କରିବାରେ ଲାଗିଛନ୍ତି । ପୂର୍ବରୁ ଜାନିବିଲି ଭଳି ମେଗା ପାନୀୟ ଜଳ ପ୍ରକଳ୍ପ ଭେଟି ଦେଇଥିଲେ ସେ । ଆଗାମୀ ଦିନରେ ତାଙ୍କର ଖୁସି ବାଣ୍ଟିବା ପେଢିରୁ ଆଉ କେତେ କଣ ଯେ ବାହାରି ବ୍ରହ୍ମପୁରବାସୀଙ୍କୁ ଉନ୍ନତ , ବିକଶିତ ଓ ଅତ୍ୟାଧୁନିକ ଭାବେ କରି ତୋଳିବ ତାହା ତ ସମୟକ୍ରମେ ଜଣାପଡିବ ।

The author is a freelance researcher.

Comments are closed.