ଆମେରିକାର କଲୋରାଡୋ ସୁପର ମାର୍କେଟରେ ଗୁଳିମାଡ଼, ପୋଲିସ୍ ଅଧିକାରୀଙ୍କ ସହ ୧୦ ମୃତ

ବୁଲ୍ଡର (କଲୋରାଡୋ) – ଆମେରିକାର କଲୋରାଡୋ ସ୍ଥିତ ଏକ ସୁପର ମାର୍କେଟରେ ଜଣେ ବନ୍ଧୁକଧାରୀର ଅତର୍କିତ ଗୁଳିମାଡ଼ରେ ଜଣେ ପୋଲିସ୍ ଅଧିକାରାୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ୍ ଜଣକୁ ଅଟକ ରଖିଛି ।

ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ସୁପର ମାର୍କେଟରେ ହଠାତ୍ ଫାୟାରିଂ ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇପଡିଥିଲେ । ଭୟରେ କିଛି ଲୋକ ସେଠାରୁ ପଛପଟ ରାସ୍ତା ଦେଇ ପଳାଇ ଆସିଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା କରାଯାଇଥିବା ଉକ୍ତ ଘଟଣାର ଭିଡିଓରୁ ସୁପର ମାର୍କେଟରେ କିଛି ଲୋକ ଗୁଳିମାଡ଼ରୁ ବଞ୍ଚିବା ପାଇଁ ଚଟାଣରେ ମୁହଁ ମାଡ଼ି ପଡି ରହିଛନ୍ତି । ଲଗାତର ଗୁଳି ଫୁଟିବା ଶବ୍ଦ ବି ଶୁଣାଯାଉଛି । ସେହି ଭିଡିଓରେ ଜଣେ ମଧ୍ୟବୟସ୍କ ଶ୍ୱେତାଙ୍ଗ ବ୍ୟକ୍ତି ଦେଖାଯାଉଛନ୍ତି, ଯିଏକି ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଅଟକ ଥିବା ବ୍ୟକ୍ତିର ପରିଚୟ ପ୍ରକାଶ କରାଯାଇ ନାହିଁ । ସେ ଏହି ଘଟଣାର ଅଭିଯୁକ୍ତ କି ନୁହେଁ ତାହା ମଧ୍ୟ ପୋଲିସ ସ୍ପଷ୍ଟ କରିନାହିଁ । ଘଟଣା ସ୍ଥଳରୁ ୧୦ ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି ।

ଗତ ସପ୍ତାହରେ ଆମେରିକାର ଦକ୍ଷିଣପୂର୍ବ ରାଜ୍ୟ ଜର୍ଜିର୍ଆରେ ବି ଏସୀୟ ମୂଳର ଲୋକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର ଲଗାତର ଏଭଳି ଘଟଣା ଘଟୁଥିବା ବେଳେ ବନ୍ଧୁକ ଲାଇସେନ୍ସ ନୀତି କଡ଼ାକଡ଼ି କରିବାକୁ ଦାବି ହେଉଛି ।

Comments are closed.