ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଦୁଇ ଭାରତୀୟ ଯବାନ ଶହୀଦ

ଶ୍ରୀନଗର – ପାକିସ୍ତାନ ପଟୁ ପୁଣିଥରେ ଅସ୍ତ୍ରବିରତି ଉଲ୍ଳଂଘନ ହୋଇଛି । ଜାମ୍ମୁକାଶ୍ମୀରର ନିୟନ୍ତ୍ରଣ ରେଖା ନିକଟସ୍ଥ ରାଜୋରୀ ସେକ୍ଟରରେ ପାକିସ୍ତାନ ସେନା ପଟୁ ପ୍ରବଳ ଗୁଳିବର୍ଷା କରାଯାଇଛି । ଏଥିରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଳାୟର ସୂଚନା ମୁତାବକ, ପାକିସ୍ତାନ ତରଫରୁ ଆଜି ରାଜୋରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ଗୁଳିମାଡ଼ କରାଯାଇଥିଲା ।

ଏଥିରେ ଭାରତୀୟ ସେନାର ଦୁଇ ସୈନିକ ନାଏକ ପ୍ରେମବାହାଦୂର ଖତ୍ରି ଓ ରାଇଫଲମ୍ୟାନ୍ ଖୁସବୀର ସିଂ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ଭାରତ ତରଫରୁ କଡ଼ା ଜବାବ ଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଭାରତର ବାରମ୍ବାର ଚେତାବନୀ ସତ୍ତ୍ୱେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟସ୍ଥ ଭାରତୀୟ ପୋଷ୍ଟ ଓ ନିରୀହ ଲୋକଙ୍କୁ ଟାର୍ଗେଟ୍ କରୁଛି । ଗୁରୁବାର ମଧ୍ୟ ପାକିସ୍ତାନ କିରନୀ, କାସବା ଶାହାପୁର ସେକ୍ଟରରେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା ।

Comments are closed.