୨୭ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଚୂଡାନ୍ତ, ରାତି ୨ଟାରୁ ନୀତିକାନ୍ତି, କୋରୋନା କାଳରେ ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହେବେ ଭକ୍ତ

ପୁରୀ – ଦୀର୍ଘ ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ହେବ ଦୁର୍ଲଭ ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ଯେଉଁ ବର୍ଷ ପଂଚୁକ ୬ ଦି ପଡେ,ସେହି ବର୍ଷ ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶରେ ସଜେଇ ହେବେ । ଏଥର କିନ୍ତୁ କୋରୋନା ପରିସ୍ଥିତି ଯୋଗୁଁ ଭକ୍ତ ଭଗବାନଙ୍କ ଏହି ବେଶ ଦର୍ଶନରୁ ବଂଚିତ ହେବେ । କେବଳ ସୀମିତ ସେବାୟତଙ୍କୁ ନେଇ କଡା ସୁରକ୍ଷା ବଳରେ ବେଶ ହେବେ ମହାପ୍ରଭୁ । ଏଥର ୨୭ ତାରିଖରେ ପଡୁଛି ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଚାନ୍ତ ହୋଇଛି ନୀତିକାନ୍ତି । ଚୂଡାନ୍ତ ହୋଇଥିବା ନୀତିକାନ୍ତି ଅନୁସାରେ ନଭେମ୍ବର ୨୭ ତାରିଖ (ଶୁକ୍ରବାର ) ଦିନ ଦୁର୍ଲଭ ବେଶରେ ସଜେଇ ହେବେ ଶ୍ରୀଜିଉ ।

ବେଶ ପାଇଁ ଶ୍ରୀମନ୍ଦିରର ନୀତିକାନ୍ତି ନିର୍ଘଂଟ ନିମ୍ନରେ ଦିଆଗଲା-
ପୂର୍ବ ରାତ୍ର ପହୁଜ – ରାତି ୧୨ଟା, ଦ୍ୱାରଫିଟା –ରାତି ୨ଟା, ଭିତରଶୋଧ –ରାତି ୨ଟା୨୦ମିନିଟ, ମଙ୍ଗଳ ଆଳତି -୨ଟା୩୦ ମିନିଟ୍‌, ମଇଲମ-ରାତି ୩ଟା, ତଡପଲାଗି-ରାତି ୩ଟା ୩୦ ମିନିଟ,
ଅବକାଶ-୩ଟା୫୦ ମିନିଟ, ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ-ପ୍ରାତଃ ୪ଟା, ରୋଷହୋମ-ପ୍ରାତଃ ୪ଟା୩୦ ମିନିଟ୍ , ସୂର୍ଯ୍ୟପୂଜା –ପ୍ରାତଃ-୫ଟା, ଦ୍ୱାରପାଳ ପୂଜା -ପ୍ରାତଃ ୫ଟା ୧୫ ମିନିଟ, ନାଗାର୍ଜୁନ ବେଶ ଶେଷ- ସକାଳ ୭ଟା, ନାଗାର୍ଜୁନ ବେଶ ମଇଲମ-୍‌ଅପରାହ୍ନ ୨ଟା ।
ସାଧାରଣତଃ ନାଗାର୍ଜୁନ ବେଶରେ ସର୍ବସାଧାରଣ ଦର୍ଶନ ଭିତରକାଠ ନିକଟରେ ହୋଇଥାଏ ,କିନ୍ତୁ କୋଭିଡ-୧୯ ଯୋଗୁଁ ଚଳିତବର୍ଷ ଏହା ବନ୍ଦ ରହିଛି । ଏଥରର ନାଗାର୍ଜୁନ ବେଶ ଏକବିଂଶ ଶତାବ୍ଦୀରେ ପ୍ରଥମ ।
ବିଂଶତମ ଶତାବ୍ଦୀରେ ଶେଷ ଥର ପାଇଁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା । ୧୯୯୪ ମସିହା ପୂର୍ବରୁ ୧୯୯୩ ମସିହା ନଭେମ୍ବର ୨୬ ତାରିଖ, ୧୯୬୮ ମସିହା ନଭେମ୍ବର ୩ ତାରିଖ, ୧୯୬୭ ମସିହା ନଭେମ୍ବର ୧୬ ତାରିଖ ଓ ୧୯୬୬ ମସିହା ନଭେମ୍ବର ୨୬ ତାରିଖରେ ମଧ୍ୟ ନାଗାର୍ଜୁନ ବେଶ ହୋଇଥଲେ ଶ୍ରୀଜିଉ ।
ମହାପ୍ରଭୁଙ୍କ ନାଗାଜ୍‌ୁର୍ନ ବେଶ ନେଇ ଭିନ୍ନ ଭିନ୍ନ ପୌରାଣିକ କଥା ରହିଛି । ପଣ୍ଡିତମାନଙ୍କ ମଧ୍ୟରେ ବି ଏ ନେଇ ମତପାର୍ଥକ୍ୟ ରହିଛି । କିଛି ପଣ୍ଡିତମାନେ ମତ ଦିଅନ୍ତି ଯେ, ଭଗବାନ ବିଷ୍ଣୁଙ୍କ ଆଉ ଏକ ଅବତାର ଭଗବାମ ପର୍ଶୁରାମ, ସହସ୍ରାର୍ଜୁର୍ନକୁ ଯୁଦ୍ଧରେ ପରାସ୍ତ କରିଥିଲେ । ସେହି ଯୁଦ୍ଧରେ ପର୍ଶୁରାମଙ୍କ ବିଜୟ ପାଳନ ପାଇଁ ଶ୍ରୀଜିଉଙ୍କୁ ନାଗାଜ୍‌ୁର୍ନ ବେଶ କରାଯାଏ । ଆଉ କିଛି କହନ୍ତି ଯେ, ମହାଭାରତ ଯୁଦ୍ଧରେ ଅର୍ଜୁନ ଓ ତାଙ୍କ ପୁଅ ନାଗାର୍ଜୁନଙ୍କ ମଧ୍ୟରେ ଲଢେଇକୁ ମନେ ପକାଇବା ପାଇଁ ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରନ୍ତି ।
ନାଗାର୍ଜୁନ ବେଶରେ ଶ୍ରୀଜିଉ ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ,ଶ୍ରୀମୁଖରେ ଲମ୍ବା ଦାଢି ରଖି ଅପୂର୍ବ ନାଗା ରୂପରେ ସଜେଇ ହେବେ ।

Comments are closed.