ଶକ୍ତିଶାଳୀ ହେଉଛି ବାତ୍ୟା ‘ନିବାର’, ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ

ଚେନ୍ନାଇ – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଉଗ୍ର ରୂପ ନେଉଛି । ଏହା ଆହୁରି ଶକ୍ତିଶାଳୀ ହୋଇ ତାମିଲନାଡୁ ଉପକୂଳ ଆଡକୁ ମାଡ଼ି ଆସୁଛି । ‘ନିବାର’ ଆଜି ସନ୍ଧ୍ୟାରେ କରାଇକେଲ ଓ ମାମଲାପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗର ନିକଟତର ହେବା ବେଳକୁ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

‘ନିବାର’ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ‘ନିବାର’ ବିପଦକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଆଜି ସବୁ ସ୍କୁଲ, କଲେଜ୍‌, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ ଛୁଟି ଘୋଷଣା କରାଯାଇଛି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ତରଫରୁ ସବୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ତଟରକ୍ଷୀ ବାହିନୀ ତରଫରୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଜାହାଜ ଓ ୨ଟି ବିମାନକୁ ସଜାଗ ରଖାଯାଇଛି । ସେହିଭଳି ଏନଡିଆରଏଫ ର ୨୨ଟି ଟିମକୁ ନିୟୋଜିତ କରାଯାଇଥିବା ବେଳେ ଆଉ ୮ଟି ଟିମକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Comments are closed.