ଆରଟି-ପିସିଆର ଟେଷ୍ଟ ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ ନେଇ କେନ୍ଦ୍ର ଓ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ – କରୋନା ପାଇଁ ହେଉଥିବା ଆରଟି-ପିସିଆର ପରୀକ୍ଷାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ନେଇ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଓ ସବୁ ରାଜ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି । ସାରା ଦେଶରେ ଆରଟି-ପିସିଆର ପରୀକ୍ଷା ପାଇଁ ଏକକ ମୂଲ୍ୟ ଧାର୍ଯ୍ୟ କରିବାକୁ ସୁପ୍ରିିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଆରଟି-ପିସିଆର ମୂଲ୍ୟ ୪୦୦ ଟଙ୍କା ରଖାଯାଉ ।
ଏହାଦ୍ୱାରା ଲୋକେ ଉପକୃତ ହେବେ ଓ କରୋନା ପରୀକ୍ଷା ବି ବଢିବ ବୋଲି ଆବେଦନରେ କୁହାଯାଇଥିଲା ।

ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଦୁଇ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣ ଯାଞ୍ଚ୍ ପାଇଁ ଦେଶରେ ଆରଟି-ପିସିଆର ଟେଷ୍ଟ କରାଯାଉଛି । କରୋନା ସଂକ୍ରମଣ ଚିହ୍ନଟ କରିବା ଲାଗି ଆରଟି-ପିସିଆର ଟେଷ୍ଟ ସବୁଠୁ ଭରସାଯୋଗ୍ୟ ଓ ସଠିକ୍ ପଦ୍ଧତି । କିନ୍ତୁ ଦେଶର ବିଭିନ୍ନ ରାଜ୍ୟରେ ଏହି ପରୀକ୍ଷା ମୂଲ୍ୟରେ ଅସମାନତା ରହିଛି । କେଉଁଠି ଏହି ପରୀକ୍ଷା ଦାମ୍ ୮୦୦ ଟଙ୍କା ହୋଇଥିବା ବେଳେ ଆଉ କେଉଁଠି ଏହା ପାଇଁ ଲୋକଙ୍କ ଠାରୁ ୨୮୦୦ ଟଙ୍କା ଚାର୍ଜ କରାଯାଉଛି । କିିଛି ଲ୍ୟାବ୍ ଲୋକଙ୍କୁ ଆରଟି-ପିସିଆର ଟେଷ୍ଟ ନାଁରେ ଶୋଷଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ଆବେଦନରେ କୁହାଯାଇଛି । ଏହି ଦୃଷ୍ଟିରୁ ସାରା ଦେଶରେ ଆରଟି-ପିସିଆର ଟେଷ୍ଟ ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରିବାକୁ ଆବଦନରେ ଯୁକ୍ତି କରାଯାଇଛି ।

Comments are closed.