ଗ୍ରେଗ୍ ବାର୍‌କ୍ଲେ ଆଇସିସିର ନୂଆ ଅଧ୍ୟକ୍ଷ

ପ୍ୟାରିସ୍ – ନ୍ୟୁଜିଲାଣ୍ଡର ଗ୍ରେଗ୍ ବାରକ୍ଲେ ଆଇସିସିର ନୂଆ ସ୍ୱାଧୀନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ହୋଇଥିବା ନିର୍ବାଚନରେ ବାରକ୍ଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହଂକଂର ଇମ୍ରାନ ଖ୍ୱାଜାଙ୍କୁ ହରାଇଥିଲେ ।

ବାରକ୍ଲେ ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଅଧ୍ୟକ୍ଷ ହେବା ପାଇଁ ଆଇସିସିର ବୋର୍ଡର ଦୁଇ ତୃତୀୟାଂଶ ଭୋଟ୍ ଦରକାର । ତେବେ ୧୬ ସଦସ୍ୟ ବିଶିଷ୍ଟ ଆଇସିସି ବୋର୍ଡରୁ ବାରକ୍ଲେଙ୍କୁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ମିଳିଥିଲା । ବିଶେଷକରି କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର ଗୁରୁ୍‌ତ୍ୱପୂର୍ଣ୍ଣ ଭୋଟ୍ ବାରକ୍ଲେଙ୍କ ବିଜୟରେ ନିର୍ଣ୍ଣାୟକ ହୋଇଥିଲା । ବାରକ୍ଲେଙ୍କ ସପକ୍ଷରେ ୧୧ ଭୋଟ୍ ପଡିଥିଲା । ବାରକ୍ଲେଙ୍କ ପ୍ରତି ବିସିସିଆଇର ମଧ୍ୟ ସମର୍ଥନ ରହିଥିଲା ।

ଶଶାଙ୍କ ମନୋହର ଜୁଲାଇରେ ପଦ ଛାଡ଼ିବା ପରେ ପରାଜିତ ପ୍ରାର୍ଥୀ ଖ୍ୱାଜା ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ । ଆଇସିିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ବାରକ୍ଲେ କହିଛନ୍ତି । ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି ସେ କ୍ରିକେଟର ବିକାଶ କାର୍ଯ୍ୟକୁ ଆଗେଇ ନେବେ ବୋଲି ବାରକ୍ଲେ କହିଛନ୍ତି ।

Comments are closed.