ନୁଆ ବର୍ଷରେ ସରକାରଙ୍କ ବଡ ନିଷ୍ପତି : ଜାନୁଆରୀ ୮ରୁ ୧୦ମ ଏବଂ ୧୨ଶ ପାଠପଢା : ମେ ୩ରୁ ଦଶମ ବୋର୍ଡ଼ ପରୀକ୍ଷା

ଭୁବନେଶ୍ବର: କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି । ତେବେ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତି ନେଇଛି ।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗ ଦର୍ଶିକା ଜାରି କରାଯାଇଛି ।

ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ , କୋଭିଡ୍ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ୍‌ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।

Comments are closed.